କନକ ବ୍ୟୁରୋ : ଗରିବଙ୍କ ପାଇଁ ସରକାରଙ୍କ ଆଶ୍ରୟସ୍ଥଳୀ ନିର୍ମାଣ ହୋଇପଡ଼ିଛି ସ୍ୱପ୍ନ । ସାରା ରାଜ୍ୟ ଏବେ ଶୀତରେ ଥରୁଛି । ଝାରସୁଗୁଡ଼ାରେ ମଧ୍ୟ ଶୀତ ଲହରୀ ଖୁବ ଜୋରରେ ଅନୁଭୂତ ହୋଇଛି । ଏ ଅସହ୍ୟ ଜାଡ଼ ବେସାହାରା, ଗରିବ ଲୋକଙ୍କ ପାଇଁ ଆହୁରି କଷ୍ଟକର ହୋଇପଡ଼ିଛି । କିଏ ରାସ୍ତା କଡ଼ରେ ଶୀତରେ ଖୁବ ଜୋର ଥରୁଛି ତ କିଏ କେଉଁ ଦୋକାନ ବାରଣ୍ଡାରେ ପଡ଼ିଛି । ଶୀତୁଆ ରାତିରେ ସାରା ସହର ନିଜ ଘରେ ଆରାମରେ ଶୋଇଥିବାବେଳେ ଶୀତରେ ବାହାରେ ଥରୁଛନ୍ତି ଗରିବ ବେସାହାରା ।

Advertisment

ଜାଡରେ ଜଡସଡ ବାସହରା...ରାସ୍ତାକଡ଼ ପାଲଟିଛି ଆଶ୍ରୟସ୍ଥଳୀ । ଶିଳ୍ପ ସହର ଝାରସୁଗୁଡାର ଏହି ଚିତ୍ର ପ୍ରଶ୍ନ କରୁଛି, କୁଆଡ଼େ ଗଲା ସରକାରଙ୍କ ଆଶ୍ରୟସ୍ଥଳୀ ? ଝାରସୁଗୁଡାରେ ରହୁଥିବା ଅସହାୟ ଓ ବେସାହାରଙ୍କ ପାଇଁ ଆଶ୍ରୟସ୍ଥଳୀ ପାଲଟିଛି ଖୋଲା ଆକାଶ ତଳ ରାସ୍ତାକଡ଼ । କିଏ ଫୁଟପାଥରେ, କିଏ ରେଳଷ୍ଟେସନରେ, କିଏ ରାସ୍ତା କଡ଼ରେ, କିଏ ରିକ୍ସା ଉପରେ ତ କିଏ କାହା ଦୋକାନ ବାରଣ୍ଡାରେ ଶୋଉଛନ୍ତି । ବୟସ୍କ ଠାରୁ ଛୋଟ ପିଲା ଥଣ୍ଡାରେ ରାସ୍ତାକଡରେ ରାତି କାଟିବାକୁ ବାଧ୍ୟ ହେଉଛନ୍ତି ।

ଶିଳ୍ପନଗରୀ ଝାରସୁଗୁଡାରେ ଏ ସମସ୍ୟା ଆଜିର ନୁହେଁ । ଯାଯାବର ଜୀବନ ଜିଉଁଥିବା ଲୋକଙ୍କ ସମସ୍ୟା ବାବଦରେ ପ୍ରଶାସନ ଜାଣିଛି । କିଛି ବର୍ଷ ପୂର୍ବେ ପୌର ସଂସ୍ଥା ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଏକ ଆଶ୍ରୟସ୍ଥଳୀ କରିବାକୁ ନିଷ୍ପତି ହୋଇଥିଲା । ହେଲେ ଡାକ୍ତରଖାନା ସାମ୍ନାରେ ଚାରି ଥାକିଆ ରାସ୍ତା ହେବାରୁ ସ୍ଥାନ ଅଭାବ ଯୋଗୁଁ ଏହି ପ୍ରସ୍ତାବ ବାତିଲ ହୋଇଯାଇଛି । ଆଉ ଲୋକଙ୍କୁ ଏମିତି ଶୀତକାକରରେ ଶୋଇବାକୁ ଛାଡି ଦିଆଯାଇଛି ।

ଗରିବ ଅସହାୟଙ୍କ ପାଇଁ ଆଶ୍ରୟସ୍ଥଳୀ କରିବାକୁ ସରକାରୀ ଯୋଜନା ରହିଛି । ହେଲେ ଝାରସୁଗୁଡାର ଅସହାୟ ଲୋକଙ୍କ ଏହି ବିକଳ ଚିତ୍ର ତମାମ୍ ସରକାରୀ ଯୋଜନାକୁ ଉପେକ୍ଷା କରୁଛି । ଏମାନଙ୍କ ପାଇଁ ଜିଲ୍ଲାରେ ଖୁବ ଶୀଘ୍ର ଆଶୟସ୍ଥଳୀ ନିର୍ମାଣ କରିବାକୁ ଦାବି ହୋଇଛି ।