କନକ ବ୍ୟୁରୋ: ଚିଙ୍ଗୁଡି ମାଫିଆଙ୍କ ପ୍ରେମରେ ଗ୍ରାମ୍ୟ ନିର୍ମାଣ ବିଭାଗ । ସରକାରୀ ଜାଗାକୁ ଚିଙ୍କୁଡି ମାଫିଆଙ୍କୁ ଦେଇ ନଦୀ ଭିତରେ ରାସ୍ତା୍ କାମ କରୁଛନ୍ତି ଗ୍ରାମ୍ୟ ନର୍ମାଣ ବିଭାଗ । ବର୍ଷା ଓ ବନ୍ୟାଜଳ ନିସ୍କାସନ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା କରି ଉଦ୍ବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ବାଲିଆପାଳ ବ୍ଲକ ସାଉଡ଼ି ପଞ୍ଚାୟତ ସାଉଡିଚକ ଆରଡି ରାସ୍ତା ଠାରୁ ସଦର ବ୍ଲକ ଗହମ ଗଡିଆ ପର୍ଯ୍ୟନ୍ତ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ୫ କିଲୋମିଟର ରାସ୍ତା ତିଆରି ହେଉଛି। ରାସ୍ତା ପାଇଁ ପର୍ଯ୍ୟାପ୍ତ ସରକାରୀ ଜାଗା ରହିଛି। ହେଲେ ଗ୍ରାମ୍ୟ ନିର୍ମାଣ ବିଭାଗ ସେହି ଜାଗାକୁ କିଛି ଚିଙ୍ଗୁଡି ମାଫିଆଙ୍କୁ ଦେଇ ଡୁବଡୁବି ନଦୀର ଶାଖା ହାଣ୍ଡିବସା ନଦୀ ଭିତରେ ରାସ୍ତା ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ବର୍ଷା ଦିନରେ ଜଳ ନିସ୍କାସନରେ ବାଧା ଉପୁଜିବାର ଆଶଙ୍କା କରି ଉଦ୍ବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା।
ହଣ୍ଡିବସା ନଦୀ, ଆଳୁମେଦା ଠାରୁ ବାହାରି ବାଲିଆପାଳ ବ୍ଲକ ଜମ୍ଭୀରାଇ ଦେଇ ବଙ୍ଗୋପସାଗରରେ ମିଶିଛି । ସଦର ବ୍ଲକର ୨ଟି ପଂଚାୟତ ଏବଂ ବାଲିଆପାଳ ବ୍ଲକର ୪ଟି ପଞ୍ଚାୟତରୁ ବର୍ଷା ଜଳ ହଣ୍ଡିବସା ନଦୀ ଦେଇ ନିଷ୍କାସିତ ହୋଇଥାଏ । ରାସ୍ତା ନିର୍ମାଣ ହେବାରୁ ପାଣି ନିଷ୍କାସନରେ ବାଧା ଉପଜି ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ନଦୀ ଭିତରେ ରାସ୍ତା କାମ ବନ୍ଦ କରିବା ସହିତ ଗାଡୱାଲ ଭାଙ୍ଗିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି ହୋଇଛି।
ସ୍ଥାନୀୟ ଲୋକଙ୍କ ସରଳତାର ଫାଇଦା ନେଇ କିଛି ଚିଙ୍ଗୁଡି ମାଫିଆଙ୍କ ପ୍ରରୋଚନାରେ ସରକାରୀ ଜଗାକୁ ମାଫିଆଙ୍କୁ ଛାଡି ନଦୀ ଭିତରେ ରାସ୍ତା କାମ କରୁଛନ୍ତି ଠିକାଦାର। ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର କରାଯାଉଥିବା ଅଭିଯୋଗ କଲେ, ଠିକାଦାର ନାଲିଆଖି ଦେଖାଉଥିବା ଅଭିଯୋଗ ହୋଇଛି।