୭୦ ବର୍ଷ ପରେ ସ୍ୱାଭିମାନ ଅଞ୍ଚଳକୁ ଫିଟିଲା ବାଟ । ଦୁଃଖ ଦୂର କରିବ ନୂଆରାସ୍ତା, ଦୁଆର ମୁହଁରେ ପହଞ୍ଚିବ ସବୁ ସୁବିଧା । ଖୁସିରେ ଆତ୍ମହରା ଅଞ୍ଚଳବାସୀ

୭୦ ବର୍ଷ ପରେ ସ୍ୱାଭିମାନ ଅଞ୍ଚଳକୁ ଫିଟିଲା ବାଟ । ଦୁଃଖ ଦୂର କରିବ ନୂଆରାସ୍ତା, ଦୁଆର ମୁହଁରେ ପହଞ୍ଚିବ ସବୁ ସୁବିଧା । ଖୁସିରେ ଆତ୍ମହରା ଅଞ୍ଚଳବାସୀ

କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳକୁ ବାଟ ଫିଟୁଛି, ବିକାଶ ଯାଉଛି । ସ୍ୱାଧୀନତାର ଦୀର୍ଘ ୭୦ ବର୍ଷ ପରେ ରାସ୍ତା ଦେଖିବେ ସ୍ୱାଭିମାନ ଅଂଚଳବାସୀ । ପୂର୍ବରୁ ମାଓ ଭୟରେ ସରକାରୀ ସେବା ପହଞ୍ଚି ପାରୁନଥିବାରୁ ସବୁ ସୁବିଧାରୁ ବଞ୍ଚିତ ହେଉଥିଲେ ଗୁରୁପ୍ରିୟା ସେତୁ ଆରପଟ ଲୋକେ । ତେବେ ୨୦୧୮ରେ ଗୁରୁପ୍ରିୟା ସେତୁ ସମ୍ପୂର୍ଣ୍ଣ ହେବା ପରେ ଅପହଞ୍ଚ ଇଲାକାର ଟ୍ୟାଗ ଲାଇନକୁ ହଟାଇ ସ୍ୱାଭିମାନ ଅଞ୍ଚଳର ଆଖ୍ୟା ଦେଇଥିଲେ ନବୀନ । ବାସ୍ ତା ପରଠାରୁ ସ୍ୱାଭିମାନ ଇଲାକାକୁ ଗଡିଛି ବିକାଶର ବସ । ଆଉ ଏବେ ସବୁ ସରକାରୀ ସେବା ଯୋଗାଇ ଦେବାକୁ ତିଆରି ଚାଲିଛି ରାସ୍ତା ।

publive-image

ସ୍ୱାଭିମାନ ଅଂଚଳର ୫ଟି ପଂଚାୟତକୁ ସିଧାସଳଖ ଯୋଗାଯୋଗ କରିବା ଲାଗି ବାଟ ଫିଟାଇଛି ଜିଲ୍ଲା ପ୍ରଶାସନ । ବିଏସଏଫ ଏବଂ ଓଡିଶା ପୋଲିସର ମିଳିତ ଉଦ୍ୟମରେ ହନ୍ତାଳଗୁଡା ଠାରୁ ଯୋଡାଆମ୍ବ ଯାଏଁ ୧୪ କିଲୋମିଟର ରାସ୍ତା ନିର୍ମାଣ ହୋଇଛି । ଦିନରାତି ଏକ କରି ଯବାନମାନେ ଗତ ଏକ ସପ୍ତାହଧରି ରାସ୍ତାକାମରେ ନିୟୋଜିତ ଥିବା ୪ଟି ଜେସିବିକୁ ସୁରକ୍ଷା ଯୋଗାଇଛନ୍ତି ।

ତେବେ ରାସ୍ତା ତିଆରି ବେଳେ ଅନେକ ସ୍ଥାନରେ ମାଓବାଦୀମାନେ କାମରେ ନିୟୋଜିତ ଥିବା ଗାଡିକୁ ଜାଳି ଦେଉଥିବାର ଭୟ ରହିଥିବାରୁ ସ୍ୱାଭିମାନ ଅଞ୍ଚଳରେ ନୂଆକରି ହେଉଥିବା ରାସ୍ତାକାମରେ ଯେମିତି କୌଣସି ଅସୁବିଧା ନହୁଏ ସେଥିପାଇଁ କଡା ପ୍ରହରା ଦେଇ କାମ ଜଗିଛନ୍ତି ପୋଲିସ ଓ ଯବାନ ।

ସେପଟେ ଗୁରୁପ୍ରିୟା ସେତୁ ଉଦଘାଟନର ପ୍ରାୟ ଦେଢ ବର୍ଷ ପରେ ବିକାଶ ପାହାଡ ଡେଇଁ ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଛି । ଦୁର୍ଗମ ପାହାଡ କାଟି ପ୍ରଶାସନ ରାସ୍ତା ଫିଟାଉଥିବା ବେଳେ ନୂଆ ରାସ୍ତା ଦେଖି ମନରେ ହଜାରେ ସ୍ୱପ୍ନ ବାନ୍ଧିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ । ବର୍ଷ ବର୍ଷ ଧରି ପାଦଚଲା ରାସ୍ତା ଉପରେ ଭରସା କରି ରହିଥିବା ଏ ଲୋକମାନେ ନା ଆମ୍ବୁଲାନ୍ସ, ନା ବିଜୁଳି ନା ମୋବାଇଲ ସେବା ଏମିତି ଅନେକ ସୁବିଧାରୁ ବଞ୍ଚିତ ହୋଇଥିଲେ । ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ଖଟିଆରେ ବୁହା ହୋଇ ଆସୁଥିଲେ ବି ଆମ୍ବୁଲାନ୍ସଟେ ପହଞ୍ଚି ପାରୁନଥିଲା । ମାତ୍ର ଏବେ ରାସ୍ତା ଫିଟିବା ପରେ ସେମାନଙ୍କ ପାଖରେ ପହଞ୍ଚିବ ସବୁ ସୁବିଧା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe