ପାଣି ପାଇଁ ରାଜଧାନୀରେ ପୁଣି ତାତିଲେ ଲୋକେ । ଗ୍ୟାରେଜ ଛକରେ ରାସ୍ତା ଉପରେ ଶୁଖିଲା କାଠ ଖଣ୍ଡ ପକାଇ ରାସ୍ତାରୋକ । ବିନା ବିଜୁଳି ଓ ପାଣିରେ ଛଟପଟ ହେଉଛନ୍ତି ବାତ୍ୟା ବିପନ୍ନ ।

105

କନକ ନ୍ୟୁଜ : ବିଜୁଳି, ପାଣି ପାଇଁ ପ୍ରତିବାଦ । ରାଜଧାନୀରେ ରାସ୍ତାରୋକ । କଟକ-ପୁରୀ ମୁଖ୍ୟ ରାସ୍ତାକୁ ଅବରୋଧ କଲେ ରାଜଧାନୀ ବାସିନ୍ଦା । ଭୁବନେଶ୍ୱର ଗ୍ୟାରେଜ ଛକରେ ରାସ୍ତା ଉପରେ ବାଉଁଶ, ଗଛଡାଳ ପକାଇ ଘଂଟାଘଂଟା ଧରି ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକ । ଅଭିଯୋଗ, ବାତ୍ୟା ଫୋନି ଚାଲିଯିବାର ସପ୍ତାହେ ପରେ ବି ଏମାନଙ୍କ ଅଂଚଳରେ ସ୍ୱାଭାବିକ ହୋଇପାରିନି ବିଜୁଳି ଓ ପାଣି ଯୋଗାଣ । ବିଶେଷ କରି ଗ୍ୟାରେଜ ଛକ, ଗୌରୀନଗର, ସାମନ୍ତରାପୁର ଏବଂ ଓଲ୍ଡ ଟାଉନର କେତେକ ଅଂଚଳକୁ ଆଜିଯାଏଁ ବିଜୁଳି ଯୋଗାଣ ହୋଇପାରିନି । ବାରମ୍ବାର ଜେଇଙ୍କ ସହ ଆଲୋଚନା ପରେ ବି ବିଦ୍ୟୁତ ସଂଯୋଗ ହୋଇପାରିନଥିବାରୁ ଏଭଳି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅସନ୍ତୁଷ୍ଟ ଲୋକେ ।

ରାସ୍ତାରେ ବସିରହିଛନ୍ତି ଅସନ୍ତୁଷ୍ଟ, ଆଉ ଲୋକଙ୍କ ଆକ୍ରୋଶକୁ ଦେଖି ପାଖରେ ନାଚାର ହୋଇ ଛିଡା ହୋଇଛି ପୋଲିସ । ବିଜୁଳି ନଥିବାରୁ ଟାଙ୍କିକୁ ଉଠିପାରୁନି ପାଣି । ଘରେ ବୟସ୍କ ଓ ରୋଗୀ ଥିବାରୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ମାର୍ଟସିଟି ବାସିନ୍ଦା । ଅନେକ ଅଂଚଳରେ ବିଜୁଳି ପହଂଚି ସାରିଥିବାରୁ ଏଠାକାର ଲୋକଙ୍କ ଭିତରେ ଆକ୍ରୋଶ ବଢିଛି । ଶେଷରେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି । ରାସ୍ତାରୋକ ପରେ ଘଟଣାସ୍ଥଳରେ ଜେଇଇ ପହଂଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ବିଦ୍ୟୁତ କର୍ମଚାରୀ ବି କାମ ଆରମ୍ଭ କରିଛନ୍ତି ।

ବାତ୍ୟା ପରଦିନଠାରୁ ଦୈନିକ ଘଂଟାଏ ଲେଖାଏଁ ଆସୁଥିଲା ପିଏଚଡି ପାଣି । ହେଲେ ଆଜି ଡିଜି ସେଟ୍ ଖରାପ ଥିବା ଦର୍ଶାଇ ପାଣି ଯୋଗାଣ ବନ୍ଦ କରିଦିଆଗଲା । ଯାହାକୁ ନେଇ ଆହୁରି ଉତ୍ତେଜିତ ହୋଇପଡିଥିଲେ ଲୋକେ । ରାଜ୍ୟ ଜରୁରୀକାଳୀନ ପରିଚାଳନା ରିପୋର୍ଟ କହୁଛି ପୁରୀ, ଭୁବନେଶ୍ୱର, କୋଣାର୍କ ଓ ନିମାପଡାରେ ପାଇପ ପାଣି ଯୋଗାଣ ଶତପ୍ରତିଶତ ସ୍ୱାଭାବିକ ହୋଇସାରିଛି । ଶୁକ୍ରବାର ସୁଦ୍ଧା ରାଜଧାନୀର ୮୦ ପ୍ରତିଶତ ଅଂଚଳରେ ବିଜୁଳି ପହଂଚି ସାରିଥିବା କୁହାଯାଉଛି । କିନ୍ତୁ ଗ୍ରାଉଣ୍ଡ ଜିରୋରେ କିନ୍ତୁ ସ୍ଥିତି ଭିନ୍ନ ରହିଛି ।