ବ୍ରହ୍ମପୁରରେ ରୋଡ ରୋମିଓଙ୍କୁ ଛେଚିଲେ ଯୁବତୀ ! ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ ।

38

କନକ ବ୍ୟୁରୋ : ବ୍ରହ୍ମପୁରରେ ରୋଡ ରୋମିଓଙ୍କୁ ଛେଚା । ଆଉ ଏହି ରୋଡ ରୋମିଓଙ୍କୁ ସାବାଡ କରିଛନ୍ତି ଜଣେ ଛାତ୍ରୀ । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଗତକାଲି ଦିନ ପ୍ରାୟ ୧୦ଟାରେ ବ୍ରହ୍ମପୁରର ଜନଗହଳିପୂର୍ଣ୍ଣ ସ୍ଥାନ ଗାନ୍ଧିନଗରରେ ରାସ୍ତାରେ ଭିଡ ଥାଏ । ଏହି ରାସ୍ତାରେ ଜଣେ ଛାତ୍ରୀଙ୍କୁ ଜଣେ ଯୁବକ ଅଶ୍ଲୀଳ କମେଂଟ କରିଥିଲେ । ଏହାକୁ ନେଇ ଯୁବତୀଜଣକ ଯୁବକଙ୍କୁ ଉତମ ମଧ୍ୟମ ଦେଇଥିଲେ । ହଠାତ ସେଠାରେ ଲୋକଙ୍କ ଭିଡ ମଧ୍ୟ ଜମିଥିଲା ।

 

ଛାତ୍ରୀ ଜଣକ ସେହି ଯୁବକଙ୍କୁ ଗାଳି କରୁଥାନ୍ତି, ମଝିରେ ମଝିରେ ପଡୁଥାଏ ଚପଲମାଡ । ଏହି ସମୟରେ ସେଠାରେ ଥିବା ଲୋକେ ମୋବାଇଲରେ ଭିଡିଓ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ୍ କରି ଦେଇଛନ୍ତି । ଘଟଣାରୁ ଜଣାଯାଇଛି ଯେ, ସଂପୃକ୍ତ ଛାତ୍ରୀଙ୍କୁ ସେହି ଯୁବକଜଣକ କିଛି ଦିନ ହେଲା ହଇରାଣ କରି ଆସୁଥିଲେ । ମାତ୍ର ଯୁବକ ନ ସୁଧୁରିବାରୁ ଛାତ୍ରୀ ଏଭଳି ଏକ ସାହସିକତା ପଥ ବାଛିନେଇଥିଲେ । ଛାତ୍ରୀଙ୍କର ଏଭଳି ସାହସିକତାକୁ ଦେଖଣାହାରୀ ବାଃ ବାଃ କହିଛନ୍ତି ।