କାଦୁଅ ପଚପଚ ରାସ୍ତା କହୁଛି କୋଇଡ଼ାର କାହାଣୀ । ପାଦ ପକାଇବାକୁ ଡର ଲାଗୁଛି, ପୋଖରୀର ଭ୍ରମ ସୃଷ୍ଟି କରୁଛି ।

268

କନକ ବ୍ୟୁରୋ : ଖରା ଦିନେ ଧୂଳି ଧୂଆଁ ଆଉ ବର୍ଷା ଦିନେ ନାଲି କାଦୁଅ । ଏମିତି ରାସ୍ତାରେ ଯାତାୟତ କରୁଛନ୍ତି ରାଜ୍ୟକୁ ସର୍ବାଧିକ ରାଜସ୍ୱ ଦେଉଥିବା କୋଇଡା ଖଣି ଅଂଚଳ ବାସିନ୍ଦା । ରାସ୍ତା ଏମିତି ହୋଇଛି ଯେ, ଚାଲି ଚାଲି ଯାଇ ହେବନି କି ନିଜେ ନଦେଖିଲେ କେହିବି ବିଶ୍ୱାସ କରିପାରିବେନି ।

କାଦୁଅ ପଟପଚ ରାସ୍ତା । ଦୁର୍ବିସହ ଜୀବନଯାତ୍ରା । ବର୍ଷାରେ ବେହାଲ ରାସ୍ତା । ଏଭଳି ଅଧାପନ୍ତରିଆ ଭାବେ ପଡ଼ିରହିଛି ରାଜ୍ୟ ତଥା ଦେଶର ଅର୍ଥବ୍ୟବସ୍ଥାର ଅନ୍ୟତମ ପ୍ରମୁଖ ଭାଗିଦାର ସୁନ୍ଦରଗଡ ଜିଲ୍ଲା କୋଇଡାର ମୁଖ୍ୟରାସ୍ତା । ବର୍ଷା ପରେ ଏଠାରେ ପୋଖରୀର ଭ୍ରମ ସୃଷ୍ଟି ହୋଇଥାଏ । କୋଇଡା ବ୍ଲକ ଚାରିପଟେ ପ୍ରାୟ ୪ କିଲୋମିଟର ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବା ବେଳେ ଯାନବାହାନ ଚଳାଚଳ କରିବା ପାଇଁ ଭୟ କରୁଛନ୍ତି ଯାତ୍ରୀ । ରାସ୍ତାରେ ଚାଲି ପାରୁଛନ୍ତି ନାଁ ବସକୁ ଅପେକ୍ଷା କରିବା ପାଇଁ କେଉଁଠି ସ୍ଥାନ ଅଛି । କୋଇଡାର ମୁଖ୍ୟରାସ୍ତା ଖରା ଦିନେ ଧୂଳି ଧୂଆଁରେ ଭର୍ତି ହେଉଥିବା ବେଳେ ବର୍ଷା ଦିନେ ନାଲି ପାଣି ଆଉ କାଦୁଅ ।

ରାସ୍ତାଘାଟ, ଘରଦ୍ୱାର ସବୁଠି ଧୂଳିଁ ଧୂଆଁ, ମାଟି କାଦୁଅର ପରସ୍ତ ଦେଖିବାକୁ ମିଳୁଥିବା ବେଳେ ସରକାରଙ୍କ କେବଳ ରାଜସ୍ୱ ଚିନ୍ତା । ଖଣି ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ପ୍ରତି ସରକାର ଆଖି ବୁଜି ଦେଇଥିବା ଅଭିଯୋଗ ହୋଇଛି । କୋଇଡା ଅଂଚଳବାସୀଙ୍କ ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବଣେଇ ବିଧାୟକ । କହିଛନ୍ତି ଏନେଇ ପ୍ରଶାସନକୁ ଖୁବ ଶୀଘ୍ର ଅବଗତ କରାଯିବ । ଯଦି ଏହା ପ୍ରତି ସରକାର ଦୃଷ୍ଟି ନ ଦିଅନ୍ତି ତେବେ ସାଧାରଣ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

ରାଜ୍ୟ ରାଜକୋଷକୁ ସର୍ବାଧିକ ରାଜସ୍ୱ ଦେଇ ଚାଲିଥିବା କୋଇଡା ଅଂଚଳର ଏହି ରାସ୍ତା ପ୍ରଶ୍ନ କରୁଛି-
– ଖଣି ଅଂଚଳର ବିକାଶ ପାଇଁ ଆସୁଥିବା କୋଟି କୋଟି ଟଙ୍କା ଯାଉଛି କୁଆଡେ ?
– ଡିଏମଏଫ୍ ଟଙ୍କା ବାହାରେ ରହିଯାଉଛି କୋଇଡ଼ାର ଖଣି ଅଚଂଳ?
– ରାଜସ୍ୱ ଦେଉଛି କୋଇଡ଼ା, ହେଲେ ପ୍ରତିବଦଳରେ ପାଉଛି କ’ଣ?