ପାହାଡ ଡେଇଁଲେ ପେଟ ପୂରିବ । ୩ଟି ପାହାଡ, ୨ଟି ନାଳ ପାରିହେଲେ ମିଳୁଛି ଡାଲି, ଚାଉଳ ଓ ଭତ୍ତା । ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି ୪୨ ଆଦିବାସୀ ପରିବାର

485

କନକ ବ୍ୟୁରୋ : ପାହାଡି ମଣିଷର ରାସ୍ତା ଦୁଃଖ । ଗାଁଠାରୁ ୭ କିଲୋମିଟର ଦୂର ପଂଚାୟତ ଅଫିସ ଯିବା ପାଇଁ ୩ଟି ପାହାଡ ୨ଟି ନାଳ ପାରି ହେଉଛନ୍ତି ଅନୁଗୁଳ ଜିଲ୍ଲା ‘ବେତର’ ଗାଁର ଆଦିବାସୀ ମଣିଷ ।

ମୁଣ୍ଡରେ ୩୫ କିଲୋଗ୍ରାମ ଚାଉଳ ମୁଣ୍ଡାଇ ମହିଳାଙ୍କ ମାର୍ଚ୍ଚ । ପଂଚାୟତ ଅଫିସରୁ ବାହାରିଥିବା ଏହି ମହିଳାମାନଙ୍କ ଲକ୍ଷ୍ୟ, ସାହାସର ସହ ପାହାଡ ଚଢିବେ, ନଦୀନାଳ ଡେଇଁବେ, ଜଙ୍ଗଲୀ ରାସ୍ତା ପାରି ହୋଇ ଗାଁରେ ପହଂଚିବେ । କାରଣ ପାହାଡ ପାର ନ ହେଲେ ଏମାନଙ୍କର ପେଟ ପୁରିବନି । ପିଡିଏସ ସାମଗ୍ରୀ ପାଇଁ ସକାଳୁ ଘରୁ ବାହାରିଲେ ଫେରିବା ବେଳକୁ ସଞ୍ଜ ହୋଇଯାଏ । ଆଉ ସେଥିରେ ପୁଣି ଜଙ୍ଗଲୀ ଜନ୍ତୁଙ୍କ ଭୟ । ତଥାପି ଜୀବନ ଜୀବିକା ପାଇଁ ସଂଘର୍ଷ ଜାରି ରଖିଛନ୍ତି ଅନୁଗୁଳ ଜିଲ୍ଲା ସରଦାପୁର ପଂଚାୟତର ବେତର ଗାଁର ୪୨ ଆଦିବାସୀ ପରିବାର ।

ପଂଚାୟତ ଅଫିସ ଠାରୁ ୭ କିଲୋମିଟର ଦୂରରେ ଥିବା ବେତର ଗାଁକୁ ରାସ୍ତା ନାହିଁ । ତେଣୁ ପଞ୍ଚାୟତ କାର୍ଯ୍ୟାଳୟ ହେଉ ବା ସହରକୁ ଯିବାକୁ ହେଲେ ଏମିିତି ସଂଘର୍ଷ କରୁଛନ୍ତି ଗ୍ରାମବାସୀ । ରାସନ ସାମଗ୍ରୀ ଓ ଭତ୍ତା ପାଇଁ ୩ଟି ପାହାଡ ଓ ୨ଟି ନାଳ ଡେଇଁ ଯା’ଆସ କରୁଛନ୍ତି । କେବଳ ରାସ୍ତା ନୁହେଁ ଅନ୍ୟ ସରକାରୀ ସୁବିଧା ମଧ୍ୟ ଗ୍ରାମବାସୀଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ସେପଟେ ବର୍ଷା ଦିନ ସରିବା ପରେ ରାସ୍ତାର ବ୍ୟବସ୍ଥା କରିବା ସହ ସରକାରୀ ସୁବିଧା ସୁଯୋଗ ଦିଆଯିବ ବୋଲି କହିଛନ୍ତି ଅନୁଗୁଳ ଉପଜିଲ୍ଲାପାଳ ।