ବର୍ଷ ବର୍ଷ ଧରି ମରାମତି ହୋଇପାରୁନି ରାସ୍ତା । ବାଉଁଶ ପୋଲରେ ଯାତାୟତ କରନ୍ତି ଲୋକେ ।

70

କନକ ବ୍ୟୁରୋ : ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଯାଜପୁର ଜିଲ୍ଲାର ବିଂଝାରପୁର ଓ ବରୀ ବ୍ଲକକୁ ସଂଯୋଗ କରୁଥିବା ରାସ୍ତା ସବୁଦିନିଆ ରାସ୍ତାରେ ପରିଣତ ହୋଇପାରିନି । ଲୋକେ ପାଦଚଲା ରାସ୍ତାରେ ଯାତାୟତ କରୁଛନ୍ତି । ଆଉ ବର୍ଷା ଦିନେ ଏହି ସବୁ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡେ । କେବଳ ଦେଶୀ ଡଙ୍ଗା ଓ ଭୁଟୁଭୁଟି ଏହି ଅଞ୍ଚଳବାସୀଙ୍କ ପାଇଁ ଏକମାତ୍ର ସାହାରା ପାଲଟେ ।

ଗାଁକୁ ନାହିଁ ସବୁଦିନିଆ ରାସ୍ତା । ପାଦଚଲା ରାସ୍ତାରେ ପ୍ରତିଦିନ ଯାତାୟତ କରୁଛନ୍ତି ଗ୍ରାମବାସୀ । ବର୍ଷା ଦିନ ସବୁ ଠପ୍ ହୋଇଯାଏ । ଦେଶୀ ଡଙ୍ଗା ହିଁ ଭରସା ପାଲଟେ । ଯାଜପୁର ଜିଲ୍ଲାର ବିଂଝାରପୁର ଓ ବରୀ ନିର୍ବାଚନ ମଣ୍ଡଳୀକୁ ରତଳାଙ୍ଗ ଦେଇ ସଂଯୋଗ କରୁଥିବା ଏହି ରାସ୍ତାର ମରାମତି ହୋଇପାରୁନି । ଜମି ଅଧିଗ୍ରହଣରେ ସମସ୍ୟା ଥିବାରୁ ସ୍ଥାୟୀ ରାସ୍ତା ନିର୍ମାଣ ହୋଇପାରୁନାହିଁ । ତେଣୁ ଅସୁବିଧା ଭୋଗୁଛନ୍ତି ଉଭୟ ବ୍ଲକର ୬ରୁ ଅଧିକ ପଂଚାୟତବାସୀ ।

ଗମନାଗମନ ସୁବିଧା ନଥିବାରୁ ଗାଁକୁ ଆମ୍ବୁଲାନ୍ସ କି ଅଗ୍ନିଶମ ଗାଡି ପହଞ୍ଚି ପାରେନି । ମଝିରେ ନଦୀ ରହିଥିବାରୁ ବର୍ଷା ଦିନେ ବିଚ୍ଛିନ୍ନାଞ୍ଚଳ ଜୀବନ ବିତାଇଥାନ୍ତି ଗ୍ରାମବାସୀ । ଏସବୁକୁ ନଜରରେ ରଖି ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଘରୋଇ ଜମି ଅଧିଗ୍ରହଣ କରାଯାଉଛି । ପୂର୍ବରୁ କିଛି ଜମି ଅଧିଗ୍ରହଣ ହୋଇଥିଲେ ହେଁ ବହୁ ଜମିହରାଙ୍କୁ ତାଙ୍କ ପାଉଣା ମିଳିନାହିଁ । ତେଣୁ ଅନ୍ୟମାନେ ଜମି ଦେବାକୁ ରାଜି ହେଉନାହାନ୍ତି । କି ସରକାର ଏଥିପ୍ରତି ଆନ୍ତରିକତା ଦେଖାଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି ।

ନଦୀ ଆର ପଟେ ରହିଛି ବରୀ ଥାନା, ତହସିଲ, ବ୍ଲକ । ସେଠାକୁ ସହଜରେ ଯିବା ପାଇଁ ଏହି ରାସ୍ତାର ରତଳାଙ୍ଗର ଚିଙ୍ଗୁଡିଆ ନାଳ ଉପରେ ୨୦୧୪-୧୫ରୁ ଏକ ପୋଲ କାମ ଆରମ୍ଭ ହୋଇଥିଲା । ୨୦୧୮-୧୯ରେ ତାହା ଅଟକି ଯାଇଛି । ଏହି ନାଳ ଦେଇ ଜଳପଥ ନିର୍ମାଣ ହେବା ପାଇଁ ସ୍ଥିର ହେବା ପରେ ଏହି ପ୍ରକଳ୍ପଟି ବନ୍ଦ ହୋଇଯାଇଛି । ଫଳରେ ଲୋକେ ବାଉଁଶ ପୋଲ ଭରସାରେ ଯିବା ଆସିବା କରୁଛନ୍ତି । ସେପଟେ ଏନେଇ ଯାଜପୁର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ରାସ୍ତା ପାଇଁ ଜମି ଅଧିଗ୍ରହଣ ସମସ୍ୟା ରହିଛି ଏବଂ ପୋଲ ପାଇଁ ସାନି ଡିଜାଇନ ଓ ସାନି ଟେଣ୍ଡରର ଆବଶ୍ୟକତା ରହିଛି ।