କନକ ବ୍ୟୁରୋ :  ଗ୍ରାମ୍ୟ ଉନ୍ନୟନ ବିଭାଗରେ ମାଳମାଳ ଦୁର୍ନୀତି । ସହର ହେଉ ଅବା ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  । କିନ୍ତୁ ଠିକାଦାର ଓ ଯନ୍ତ୍ରୀଙ୍କ ମନମାନୀ ଯୋଗୁଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ରାସ୍ତା ଅଳ୍ପ ଦିନରେ ଧୋଇ ହୋଇଯାଉଛି  । ମାତ୍ର ୬ ମାସରେ ପିଚୁ ଓ କଂକ୍ରିଟ ଉଠି ଯାଉଛି । କିନ୍ତୁ ରାସ୍ତା କାମ କରି ମାଲାମାଲ ହେଉଛନ୍ତି ଠିକାଦାର ଓ ଯନ୍ତ୍ରୀ  ।

Advertisment

ଗଞ୍ଜାମ ଖଲ୍ଲିକୋଟ ଠାରୁ ଡି.ଏଚ.ପଲ୍ଲୀ ରାସ୍ତାରେ କେଉଁଠି ପିଚୁ ଉଠିଗଲାଣି ତ ପୁଣି କେଉଁଠି ଖାଲ ଖମାରେ ଭର୍ତି । ମେଣ୍ଟାଲ ବାହାରି ରାସ୍ତା ସାରା ପଡିଛି । ରାସ୍ତାର ଦୁରାବସ୍ଥାକୁ ଦେଖି, ନିର୍ମାଣ କାମର ମାନକୁ ନେଇ ପ୍ରଶ୍ନ ଉଠୁଛିା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୩ ବର୍ଷ ତଳେ ଖଲ୍ଲିକୋଟ ଠାରୁ ଡି.ଏଚ.ପଲ୍ଲୀ ରାସ୍ତା ନିର୍ମାଣ ହୋଇଥିଲା । ନିର୍ମାଣର ମାତ୍ର ୬ ମାସ ପରେ ରାସ୍ତାରୁ ପିଚୁ ଓ କଂକ୍ରିଟ୍ ଉଠି ଯାଇଛି । ୫ ବର୍ଷ ପାଇଁ ରାସ୍ତାର ରକ୍ଷଣାବେକ୍ଷଣ ଓ ମରାମତି ବାବଦକୁ ୧୭ ଲକ୍ଷ ୫୨ ହଜାର ୯୯ ଟଙ୍କାର ଅନୁଦାନ ରହିଛି । ହେଲେ ନିର୍ମାଣ ପରେ ରାସ୍ତା ମରାମତି କଥା ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଭୁଲି ଯାଇଛନ୍ତି । ଫଳରେ ୧୦ ଖଣ୍ଡ ପଂଚାୟତକୁ ଯୋଗାଯୋଗ କରୁଥିବା ରାସ୍ତା ଏବେ ମରଣଯନ୍ତା ପାଲଟି ଯାଇଛି ।

ରକ୍ଷଣାବେକ୍ଷଣ ସମୟ ୨୦୨୪ ଯାଏଁ ରହିଥିବା ବେଳେ ପୁଣି ସେହି ରାସ୍ତା ନିର୍ମାଣ ପାଇଁ ଫଳକ ଲଗାଯାଇଛି । ଯାହାକୁ ଦେଖିଲେ ରାସ୍ତା ନିର୍ମାଣରେ ଦୁର୍ନୀତି ଗନ୍ଧ ବାରି ହୋଇପଡୁଛି । କେବଳ ଏହି ଗୋଟିଏ ରାସ୍ତା ନୁହେଁ ଖଲ୍ଲିକୋଟର ବିଭିନ୍ନ ସ୍ଥାନରେ କରାଯାଇଥିବା ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ସୂଚନା ଅଧିକାର କର୍ମୀ ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀଙ୍କୁ ଢାଲ କରି ଠିକାଦାର ଅଳ୍ପ କିଛି କିଛି ସ୍ଥାନରେ ରାସ୍ତା କାମ କରି ସଂପୂର୍ଣ୍ଣ କାମର ଟଙ୍କା ଉଠାଇ ନେଉଥିବା ଜଣାପଡିଛି ।