ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକରୁ ଆସିଲା ଅଭାବନୀୟ ଦୃଶ୍ୟ । ରାସ୍ତା ନିର୍ମାଣ ହୋଇଛି ଯେ ସରିବାର ନାଁ ନେଉନି । ଗ୍ରାମବାସୀ ହନ୍ତସନ୍ତ

98

କନକ ବ୍ୟୁରୋ: ପଦ୍ମଶ୍ରୀ ଡ.ଦିଲ୍ଲୀପ ତିର୍କୀ, ସୁଭଦ୍ରା ପ୍ରଧାନ, ଦୀପସାନ ତିର୍କୀ ଏବଂ ଅମିତ ରୋହିଦାସଙ୍କ ଭଳି ହକି ତାରକାଙ୍କ ଗାଁ ସୁନ୍ଦରଗଡ ଜିଲ୍ଲାର ସଉନାମୁରା । ପିଡବ୍ଲ୍ୟୁଡି ମୁଖ୍ୟ ରାସ୍ତାରୁ ଏହି ତାରକାଙ୍କ ଗାଁକୁ ସଂଯୋଗ କରୁଥିବା ରାସ୍ତାର ଦୁରାବସ୍ଥା କହିଲେ ନସରେ । ବହୁ ଦିନ ପରେ ଗାଁକୁ ନୂଆ ରାସ୍ତା ତିଆରି କରାଗଲା । ହେଲେ ରାସ୍ତା ନିର୍ମାଣ ହୋଇଛି ଯେ, ସରିବାରୁ ନାଁ ଧରୁନି । ଅଧ ପଅନ୍ତରିଆ ରାସ୍ତାରେ ଏବେ ସଉନାମୁରା ବାସୀ ପାଇଁ ଅସୁବିଧାର କାରଣ ପାଲଟିଛି ।

ପ୍ରାୟ ଦେଢ ବର୍ଷେ ତଳୁ କାମର ଅବଧି ସରିଲାଣି ହେଲେ ରାସ୍ତାକାମ ସରୁନି । ସୁନ୍ଦରଗଡ ବାଲିଶଙ୍କରା ବ୍ଲକ ସଉନାମୁରା ପିଡବ୍ଲ୍ୟୁଡି ରାସ୍ତା ଠାରୁ ଟାଙ୍ଗରବାହାଲ ପର୍ଯ୍ୟନ୍ତ ୨ କିଲୋମିଟର ୮୫ ମିଟର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକର ଦୃଶ୍ୟ କହିଲେ ନସରେ । ୨୦୧୮ ମସିହା ୨୩ ତାରିଖରୁ ଆରମ୍ଭ ହୋଇଥିବା ରାସ୍ତା କାମ ୨୦୧୯ ମାର୍ଚ ୨୨ ତାରିଖ ସୁଦ୍ଧା ସାରିବା ପାଇଁ ନିର୍ଦେଶ ରହିଥିଲା । ହେଲେ ୨୦୨୦ ସରି ୨୦୨୧ ହେଲାଣି, ରାସ୍ତା ଏବେ ବି ଅଧାପଅନ୍ତରିଆ ହେଇ ପଡିରହିଛି । ଫଳରେ ରାସ୍ତା ଦେଇ ଯିବା ଆସିବା ମୁସ୍କିଲ ହୋଇପଡିଛି ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅର୍ନ୍ତଗତ ରାସ୍ତା, ଜାତୀୟ ସେତୁ ନିର୍ମାଣ ନିଗମ ପକ୍ଷରୁ ନିର୍ମାଣ କରାଯାଉଛି । ଝାଡଖଣ୍ଡର ସରୟୂଗ ଗୌତମ କନଷ୍ଟ୍ରକ୍ସନ ନାମକ ଠିକା ସଂସ୍ଥା ରାସ୍ତା କାମ ହାତକୁ ନେଇଛି । ୨.୮୫ କିଲୋମିଟର ଲମ୍ବ ରାସ୍ତା ପାଇଁ ୧ କୋଟି ୩୮ଲକ୍ଷ ୯୭ ହଜାର ଟଙ୍କା ବ୍ୟୟବରାଦ ହୋଇଛି । ରାସ୍ତା କାମ ୨୦୧୯ ମାର୍ଚ୍ଚ ୨୨ ତାରିଖ ସୁଦ୍ଧା ସାରିବା ପାଇଁ ନିର୍ଦ୍ଦେଶ ରହିଛି । ହେଲେ ଏଯାଏଁ ରାସ୍ତା ନିର୍ମାଣ ସରିନଥିବା ବେଳେ ଜିଲ୍ଲପାଳ କହିଛନ୍ତି ଚଳିତ ବର୍ଷ ମାର୍ଚ ସୁଦ୍ଧା କାମ ସାରିବା ପାଇଁ କେନ୍ଦ୍ର ସରକାର ଏବଂ ଗ୍ରାମ୍ୟ ଉନ୍ନୟନ ସଚିବଙ୍କ କଡା ନିର୍ଦେଶ ରହିଛି ।