ଶୁଣିଲେନି ସରକାର, ହାତରେ କୋଦାଳ, ମୁଣ୍ଡରେ ଝୁଡି ଧରି ଆଗେଇ ଆସିଲେ ଗ୍ରାମବାସୀ । ନିଜସ୍ୱ ଖର୍ଚ୍ଚରେ ନଦୀ ମଝିରେ ନିର୍ମାଣ କଲେ ମାଟି ରାସ୍ତା ।

463

କନକ ବ୍ୟୁରୋ : ଗାଁ ଚାରି ପଟେ ବହିଯାଇଛି ଖରସ୍ରୋତା ଓ କାଣି ନଧୀ । ଗାଁରୁ ବାହାରିବାକୁ ହେଲେ ପାଣି ପାର ହେବାକୁ ପଡେ । ଗୋଟିଏ ଛୋଟିଆ ଡଙ୍ଗାରେ ନଦୀ ପାରି ହେଲେ ମିଳିବ ମୌଳିକ ସୁବିଧା । ଏମିତି ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ପଦିନପାଳ ପଂଚାୟତ ବାସିନ୍ଦା । ଖରସ୍ରୋତା ନଦୀ ଉପରେ ପୋଲଟିଏ ପାଇଁ ପ୍ରଶାସନ ପାଖରେ ଦାବି କରି ନିରାଶ ହେବା ପରେ ନଦୀରେ ରାସ୍ତା ତିଆରି କରିବା ପାଇଁ ଆଗକୁ ଆସିଛନ୍ତି ଗ୍ରାମବାସୀ ।

ପ୍ରଶାସନ ନକଲା ନାହିଁ, ନିଜ ପାଇଁ ନିଜେ କରିବେ ରାସ୍ତା । ହୁଏତ ପକ୍କା ପୋଲଟିଏ କରି ପାରିବେ ନାହିଁ ଏମାନେ, ହେଲେ ସେମାନଙ୍କ ଆଶା ମାଟି ରାସ୍ତା ବର୍ଷ ବର୍ଷର ସମସ୍ୟା ସମାଧାନ କରିବ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ପଦନିପାଳ ପଂଚାୟତ ଦେଇ ବହିଯାଇଥିବା ଖରସ୍ରୋତା ନଦୀରେ ଚାଲିଛି ରାସ୍ତା କାମ । ରାସ୍ତା କାମରେ ଲାଗିଛି ଟ୍ରାକ୍ଟର । ଆଉ ଗ୍ରାମବାସୀ ହାତରେ କୋଦାଳ ଓ ମୁଣ୍ଡରେ ଝୁଡି ଧରି ରାସ୍ତା କାମରେ ଲାଗିଛନ୍ତି ।

ଖରସ୍ରୋତା ନଦୀ ଟାପୁରେ ବସବାସ କରନ୍ତି ୩ଟି ଗାଁ ପଦନିପାଳ, ଦଇତାରିପୁର ଓ କଳମଡା ଶାସନ ଗାଁର ୧୦ ହଜାର ଲୋକ । ଟାପୁରେ ରହୁଥିବା ଲୋକେ ବର୍ଷ ବର୍ଷ ଧରି ଡଙ୍ଗା ଓ ନଦୀରେ ପଶି ପାଣି ପାରି ହୋଇଥାନ୍ତି । ତେଣୁ ଖରସ୍ରୋତା ନଦୀ ଉପରେ ଏକ ପୋଲଟିଏ ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲା । ପୋଲ ନିର୍ମାଣ ପାଇଁ ୨୦୦୮ ମସିହାରୁ ରାଜ୍ୟ ମାନବାଧିକାର କମିଶନ ମଧ୍ୟ ନିର୍ଦେଶ ଦେଇଥିଲେ । ହେଲେ ଆଜ ପର୍ଯ୍ୟନ୍ତ ପୋଲ ତ ଦୂରର କଥା ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ ହୋଇପାରିନଥିଲା । ବାରମ୍ବାର କହିବା ସତ୍ତେ୍ୱ ପ୍ରଶାସନ ନ ଶୁଣିବାରୁ ଗ୍ରାମବାସୀ ନିଜ ଅର୍ଥ ଓ ଶ୍ରମଦାନରେ ନଦୀ ଉପରେ ରାସ୍ତା କରିବା ପାଇଁ ଆଗେଇ ଆସିଥିଲେ । ହାତରେ କୋଦାଳ ଓ ମୁଣ୍ଡରେ ଝୁଡି ଧରି ରାସ୍ତା ନିର୍ମାଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଗ୍ରାମବାସୀ ।