କେତେ ନିର୍ଦ୍ଦୟ ହୋଇପାରେ ମଣିଷ ! ଶୋଇଥିବା କୁକୁର ଉପରେ ତତଲା ପିଚୁ ଢ଼ାଳିଦେଲେ, ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ନିର୍ମାଣ କଲେ ରାସ୍ତା

39

ପଶୁ ପକ୍ଷୀଙ୍କ ପ୍ରତି ମଣିଷ ଯେ, କେତେ ନିର୍ଦ୍ଦୟ ତାହାର ଅନେକ ଉଦାହରଣ ରହିଛି । କେଉଁଠି ପଶୁଙ୍କୁ ନିର୍ଦ୍ଦୟ ଭଳି ଲୋକ ବାଡ଼େଇଥାନ୍ତି ତ ପୁଣି କେଉଁଠି କୁକୁରଙ୍କୁ ଛାତ ତଳକୁ ମଧ୍ୟ ପକାଇବାକୁ ପଛଘୁଞ୍ଚା ଦେଇନଥାନ୍ତି ଲୋକେ । ନୀରିହ ପ୍ରାଣୀ ପାଟି ଫିଟାଇ କିଛି କହି ପାରୁନଥିବାରୁ ବିବେକହୀନ ମଣିଷ ମନଇଚ୍ଛା ଜୁଲୁମ କରୁଛି । ଆଉ ଏଭଳି କଳଙ୍କିତ ଅଧ୍ୟାୟରେ ଏବେ ଯୋଡ଼ି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ । ରାସ୍ତା ଉପରେ ଶୋଇଥିବା କୁକୁରର ଅଧା ଶରୀର ଉପରେ ଗରମ ପିଚୁ ଢ଼ାଳି ରୋଡ଼ ନିର୍ମାଣ କରାଯାଇଛି । ଆଉ ଗରମ ପିଚୁ ଢ଼ଳାଯିବା ପରେ କୁକୁରର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଏଭଳି ଘଟଣା ଆଗ୍ରାର ତାଜଗଞ୍ଜ ଅଞ୍ଚଳରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ଉକ୍ତ ଅଞ୍ଚଳରେ ବିବାଦ ଦେଖାଦେଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୧୧ ଜୁନ ରାତିରେ ଏହି ଘଟଣା ଘଟିଥିଲା । ରାସ୍ତା ତିଆରି ସମୟରେ କୁକୁରଟି ମରିପଡ଼ିଥିଲା । କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାସ୍ତା ନିର୍ମାଣ ବେଳେ କୁକୁରଟି ବଞ୍ଚିଥିଲା । ତେବେ ରାସ୍ତା ନିର୍ମାଣ ବେଳେ କୁକୁର ଉପରେ ଗରମ ପିଚୁ ଢ଼ାଳି ଦେଇଥିଲେ କର୍ମଚାରୀ । ଏପରିକି ଗରମ ପିଚୁ ଢ଼ଳାଯିବା ପରେ କୁକୁରଟି ଛଟପଟ ହେଉଥିଲେ ମଧ୍ୟ କର୍ମଚାରୀ ମାନେ ବିବେକହୀନ ଭାବେ ରାସ୍ତା ନିର୍ମାଣ କାର୍ଯ୍ୟରେ ଲାଗିଥିଲେ । ଏପରିକି କୁକୁରର ଅଧା ଶରୀର ଉପରେ ପିଚୁ ଢ଼ାଳି ରାସ୍ତା ନିର୍ମାଣ କରିଥିଲେ ।

ପରଦିନ ସକାଳେ ସ୍ଥାନୀୟ ବାସିନ୍ଦା ଦରପୋଡ଼ା କୁକୁର ମୃତଦେହ ଦେଖିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । କୁକୁରଟି ରାସ୍ତା ମଧ୍ୟରେ ଅଧା ପୋତି ହୋଇରହିଥିଲା । ଆଗ୍ରା ସ୍ଥିତ ପିପୁଲ ଫର୍ ଆନିମଲ ସଂସ୍ଥା ପକ୍ଷରୁ ଯେଉଁ କମ୍ପାନି ସଡ଼କ ନିର୍ମାଣ କରୁଥିଲା ତାହା ନାଁରେ ଥାନାରେ ଏଫଆଇଆର ଦାୟର କରାଯାଇଛି । ଆରପି ଇନଫ୍ରାଭେଞ୍ଚର ପ୍ରାଇଭେଟ ଲିମିଟେଡ଼ କମ୍ପାନି ଦ୍ୱାରା ଏଠାରେ ରାସ୍ତା ନିର୍ମାଣ କରାଯାଉଥିଲା । ଉକ୍ତ କମ୍ପାନିର କର୍ମଚାରୀଙ୍କ କହିବା ଅନୁଯାୟୀ, ରାସ୍ତା ନିର୍ମାଣ ଚାଲୁଥିବା ବେଳେ କୁକୁରଟି ମରି ସାରିଥିଲା । ଅନ୍ୟ କେତେକ ସ୍ଥାନୀୟ ଲୋକେ କହୁଛନ୍ତି ରାତିରେ ସେ ଅଞ୍ଚଳରେ ଭଲ ଆଲୋକ ବ୍ୟବସ୍ଥା ନ ଥିବାରୁ ଶ୍ରମିକମାନେ କୁକୁରଟିକୁ ଦେଖି ପାରି ନ ଥିଲେ। ତେବେ ପ୍ରଶ୍ନ ଉଠୁଛି କୁୁକର ଯଦି ମରିଥିଲା ତେବେ ରାସ୍ତା ନିର୍ମାଣ ବେଳେ ଏହାକୁ କାହିଁକି ହଟାଯାଇନଥିଲା ।

ତେବେ ଏହାର ଭିଡ଼ିଓ ଭାଇରାଲ ହେବା ପରେ ଲୋକମାନେ ହଙ୍ଗମା ଆରମ୍ଭ କରିଛନ୍ତି । ଏହାପରେ କମ୍ପାନି କର୍ମଚାରୀ ଜେସିବି ଲଗାଇ ଏହାକୁ ଖୋଳିବା ସହ କୁକୁରକୁ ବାହାରକୁ ବାହାର କରିଥିଲେ । ପିପୁଲ ଫର୍ ଆନିମଲ ଚେୟାରମ୍ୟାନ ମେନକା ଗାନ୍ଧିଙ୍କ ହସ୍ତକ୍ଷେପ ପରେ ଆରପି ଇନଫ୍ରାଭେଞ୍ଚର ପ୍ରାଇଭେଟ ବିରୋଧରେ ଆନିମଲ ଆକ୍ଟ ଧାରା ୧୧ ଅନୁଯାୟୀ, ଆଇପିସିର ଧାରା ୪୨୮ ଓ ୪୨୯ରେ ମୋକଦମା ରୁଜୁ କରାଯାଇଛି ।