ଅଦରକାରୀ ପ୍ଲାଷ୍ଟିକରେ ହେଲା ରାସ୍ତା ନିର୍ମାଣ । ପିଚୁ ଓ କଂକ୍ରିଟ ଠାରୁ ମଧ୍ୟ କମ ଖର୍ଚ୍ଚରେ ହେଲା ରାସ୍ତା । 

272

ଅଦରକାରୀ ପ୍ଲାଷ୍ଟିକରୁ ରାସ୍ତା ନିର୍ମାଣ । କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଗାଜିଆବାଦରେ ଅଦରକାରୀ ପ୍ଲାଷ୍ଟିକ୍‌କୁ ବ୍ୟବହାର କରାଯାଇ ରାସ୍ତା ନିର୍ମାଣ କରାଯାଇଛି । ୩ମିଟର ଚଉଡ଼ାର ପ୍ରାୟ ୩୦୦ମିଟର ଲମ୍ବା ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଏଥିପାଇଁ ୩୫୦କିଲୋ ପ୍ଲାଷ୍ଟିକର ବ୍ୟବହାର କରାଯାଇଛି । ରବିବାର ସ୍ଥାନୀୟ ମେୟର ଓ ନିଗମ କମିଶନର ରାସ୍ତାର ନିରୀକ୍ଷଣ କରିବା ସହ ଫିତା କାଟି ଏହି କାମର ଉଦଘାଟନ କରିଥିଲେ ।

ସୂଚନା ମୁତାବକ, ରାସ୍ତାଟି ଗାଜିଆବାଦର କବିନଗରରେ ଥିବା ଡି-ବ୍ଲକରେ ନିର୍ମାଣ କରାଯାଇଛି । ରବିବାର ମେୟର ଆଶା ଶର୍ମା ଏବଂ ନିଗମ କମିଶନର ଦିନେଶ ଚନ୍ଦ୍ର ସିଂହ ଫିତା କାଟି ଏହାର ଉଦଘାଟନ କରିଥିଲେ । ତେବେ ଅଦରକାରୀ ପ୍ଲାଷ୍ଟିକରେ ରାସ୍ତା ନିର୍ମାଣ କରିବା ପାଇଁ ୫.୪୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହାକୁ କେବଳ କୋଲ୍‌ ଟାରରେ ତିଆରି କରାଯାଇଥିଲେ ୬.୩୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାନ୍ତା ବୋଲି କହିଛନ୍ତି ରାସ୍ତା ନିର୍ମାଣ କରିଥିବା ଇଞ୍ଜିନିୟର । ତେବେ ପ୍ଲାଷ୍ଟିକ୍‌ ଦ୍ୱାରା ତିଆରି ହୋଇଥିବା ରାସ୍ତା ଉପରେ ଭାରି ଯାନ ଚଳାଚଳ କରି ପାରିବ ନାହିଁ । କବିନଗରର ଡି-ବ୍ଲକରେ କମ ଗାଡ଼ି ଓ ହାଲୁକା ଗାଡ଼ି ଯାତାୟତ କରୁଥିବାରୁ ସେଠାରେ ପ୍ଲାଷ୍ଟିକ୍‌ରେ ରାସ୍ତା ନିର୍ମାଣ କରାଯାଇଛି ।