ପ୍ରତ୍ନତାତ୍ତ୍ବିକ ଅନ୍ବେଷଣର ଏକ ସଦ୍ୟତମ ସାମଗ୍ରୀ ଏବେ ଐତିହାସିକ ଓ ଗବେଷକମାନଙ୍କୁ ଚକିତ କରିଦେଇଛି। ତାହା ହେଉଛି ଭୂମଧ୍ୟସାଗରର ଶଯ୍ୟାରେ ପଡ଼ିଥିବା ୭ ହଜାର ବର୍ଷର ଏକ ସଡ଼କ ପଥ। ଅନାବନା ଗୁଳ୍ମ ଓ କାଦୁଅ ପରି ସାମୁଦ୍ରିକ ବର୍ଜ୍ୟ ତଳେ ପୋତି ହୋଇ ରହିଥିବା ଏହି ସଡ଼କଟି ଏ ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇପାରୁନଥିଲା। କ୍ରୋଏସିଆର ଜଦାର ବିଶ୍ବବିଦ୍ୟାଳୟର ଗବେଷକମାନେ ଛାଡ଼ିଥିବା ତାହାର ଏକ ଫଟୋଚିତ୍ରରେ ଦୀର୍ଘ ୪ ମିଟର ଓସାର ବିଶିଷ୍ଟ ଉକ୍ତ ସଡ଼କରେ ପଥରଖଣ୍ଡଗୁଡ଼ିକ ସଜ୍ଜିତ ହୋଇ ପଡ଼ିଥିବା ସ୍ପଷ୍ଟ ଜଣାପଡୁଛି।
ରାସ୍ତା ଉପରେ ମାଡ଼ି ରହିଥିବା ସଂରକ୍ଷିତ କାଠଗଣ୍ଡିର ରେଡିଓକାର୍ବନ ବିଶ୍ଳେଷଣରୁ ୪,୯୦୦ ବର୍ଷ ପୂର୍ବେ ଅର୍ଥାତ୍ ଯୀଶୁଖ୍ରୀଷ୍ଟଙ୍କ ଜନ୍ମର ଯଥେଷ୍ଟ ଆଗରୁ ଉକ୍ତ ରାସ୍ତାରେ ଲୋକେ ଚଳପ୍ରଚଳ କରୁଥିବା ଅନୁମାନ କରାଯାଉଛି। ଏପରିକି ତାହା ୭,୦୦୦ ବର୍ଷ ତଳେ ତିଷ୍ଠି ରହିଥିବା ଅନୁମାନ କରାଯାଏ। ତେବେ ଗବେଷଣାରୁ, ପ୍ରାଗୈତିହାସିକ ଯୁଗରେ କ୍ରୋଏସିଆର କୋର୍କୁଲା ଦ୍ବୀପ ଉପକୂଳରେ ଖ୍ରୀ.ପୂ. ୫,୦୦୦ରେ ଗଢ଼ି ଉଠିଥିବା ହବର ସଂସ୍କୃତିକୁ ଉକ୍ତ ରାସ୍ତା ସଂଯୋଗ କରିଥିବା ଅନୁମାନ କରାଯାଏ। ସୂଚନାଯୋଗ୍ୟ, ଉକ୍ତ ସଂସ୍କୃତିର ଅଧିବାସୀମାନେ କୁଶଳୀ ଶ୍ରମିକ ଓ ଦକ୍ଷ ପଶୁପାଳକ ଥିଲେ, ଯେଉଁମାନେ ସ୍ବଳ୍ପ ସଂଖ୍ୟକ ଗୋଷ୍ଠୀରେ ବସବାସ କରୁଥିଲେ। ଉକ୍ତ ଅଞ୍ଚଳରେ ଏବେ ସୋଲିନ୍ ଠାରେ ସେହି ସମ୍ପ୍ରଦାୟର ସର୍ବାଧିକ ସଂରକ୍ଷିତ ଅଧିବାସୀ ରହୁଛନ୍ତି। ସୁତରାଂ ସେମାନଙ୍କ ପୂର୍ବପୁରୁଷମାନେ ହିଁ ଏହି ରାସ୍ତାରେ ଚଳପ୍ରଚଳ କରୁଥିଲେ, ଯାହା ଏବେ ସମୁଦ୍ରଗର୍ଭରେ ବିଲୀନ ହୋଇପଡ଼ିଛି।