ତାଲାବନ୍ଦ ବେଳେ କମିଛି ସଡ଼କ ଦୁର୍ଘଟଣା । ମାର୍ଚ୍ଚ ୨୪ରୁ ମେ’ ୩୧ ମଧ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଗତବର୍ଷ ତୁଳନାରେ କମିଛି ୬୫ ପ୍ରତିଶତ

100

କନକ ବ୍ୟୁରୋ : କରୋନା ଯୋଗୁଁ ବିଭିନ୍ନ କଟକଣା ଜାରି ହୋଇଛି । ରାସ୍ତାଘାଟରେ ଯାନବାହନ ସଂଖ୍ୟା କମ୍ । ଫଳରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା କମିଛି । ରାଜ୍ୟ ସଡ଼କ ପରିବହନ କର୍ତୃପକ୍ଷଙ୍କ ତରଫରୁ ଟୁଇଟ ଜରିଆରେ ଏନେଇ ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ମାର୍ଚ୍ଚ ୨୪ରୁ ମେ’ ମାସ ୩୧ ପର୍ଯ୍ୟନ୍ତ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଗତବର୍ଷ ତୁଳନାରେ ୬୫ ପ୍ରତିଶତ ହ୍ରାସ ପାଇଛି । ଅର୍ଥାତ୍ ଚଳିତ ବର୍ଷ ମାର୍ଚ୍ଚ ୨୪ରୁ ମେ ୩୧ ମଧ୍ୟରେ ୮୩୬ଟି ସଡ଼କ ଦୁର୍ଘଟଣାରେ ୩୮୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୨୨ ଜଣ ଆହତ ହୋଇଛନ୍ତି ।

ତେବେ ଗତବର୍ଷର୍ ଏହି ସମୟ ମଧ୍ୟରେ ୨ ହଜାର ଶହେ ୭ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଏକ ହଜାର ୮୭ ଜଣଙ୍କ ଜୀବନ ଯାଇଥିଲା । । ଏହାସହ ୨ ହଜାର ୧୭୫ ଜଣ ଆହତ ହୋଇଥିଲେ । ସେହିପରି ଚଳିତବର୍ଷ ଏପ୍ରିଲ ମାସରେ ସଡ଼କ ଦୁର୍ଘଟଣାରେ ୧୧୮ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଗତବର୍ଷ ଏହି ସଂଖ୍ୟା ଥିଲା ୪୫୮ । ଅର୍ଥାତ୍ ପ୍ରାୟ ସଡ଼କ ଦୁର୍ଘଟଣାରେ ୭୪ ପ୍ରତିଶତ କମ୍ ଜୀବନହାନି ଘଟିଛି । ଗତବର୍ଷ ତୁଳନାରେ ଚଳିତବର୍ଷ ମେ’ ମାସରେ ସଡ଼କ ଦୁର୍ଘଟଣାରେ ୫୧ ପ୍ରତିଶତ କମ୍ ମୃତ୍ୟୁ ଘଟିଛି । ଗତବର୍ଷ ମେ’ ମାସରେ ୯୫୩ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୪୯୪ ଜଣଙ୍କ ମୃତ୍ୟୁ ଘଟିଥିଲା । । ତେବେ ଚଳିତବର୍ଷ ମେ’ରେ ୫୫୧ଟି ସଡ଼କ ଦୁର୍ଘଟଣାରେ ୨୪୩ ଜୀବନ ଯାଇଛି ।