କେହି ଶୁଣିଲେନି ମହିଳାଙ୍କ ବୁକୁ ଫଟା ଚିତ୍କାର, ରାସ୍ତା ମଝିରେ କୁନି ଝିଅକୁ ଧରି ସାହାଯ୍ୟ ପାଇଁ କରୁଥିଲେ ଗୁହାରି । ପଢନ୍ତୁ ସ୍ୱାର୍ଥପର ଦୁନିଆର ଅମାନବିକତାର କରୁଣ କାହାଣୀ ।

46

ସମାଜରେ ହଜିଯାଇଛି ମାନବିକତା । ମରିଯାଇଛି ସାହାଯ୍ୟ ନାମୀ ଶବ୍ଦ । ସ୍ୱାର୍ଥପର ହୋଇଯାଇଛି ଦୁନିଆ । ଅମାନବିକତା ଏବଂ ସ୍ୱାର୍ଥପରତାର ଏକ ଚିତ୍ର ଦେଖିବାକୁ ମିଳିଛି ଫତେହଗଞ୍ଜ ପଶ୍ଚିମୀର ଭାଖଡା ପୋଲ ଉପରେ । କୋଳରେ ତିନି ବର୍ଷର କୁନି ଝିଅକୁ ଧରି ଆହତ ହୋଇଥିବା ଏହି ମହିଳାଜଣଙ୍କ ରାସ୍ତାରେ ଯାଉଥିବା ପ୍ରତ୍ୟେକ ଗାଡିକୁ ସାହାଯ୍ୟ ପାଇଁ ବିନତି କରୁଛନ୍ତି । ସାହାଯ୍ୟ ମାଗିବାର କାରଣ ଥିଲା ବାସ ଏତିକି, ରୋଡୱେଜ ବସ ମାଡିଯିବା ଦ୍ୱାରା ପୋଲ ଉପରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା । ଆଉ ସ୍ୱାମୀଙ୍କ ମରଶରୀରକୁ ହସ୍ପିଟାଲ ନେବାକୁ ଗୁହାରି କରୁଥିଲେ ଏହି ମହିଳା ।

ସାହାଯ୍ୟ ପାଇଁ ଲୋକମାନଙ୍କର ଗୋଡ ଧରିବାକୁ ମଧ୍ୟ ପଛାଇନଥିଲେ । ରାସ୍ତା ମଝିରେ ପାଟି କରି କାନ୍ଦି କାନ୍ଦି ଟିକିଏ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଥିଲେ । କିଛି ଲୋକ ତାଙ୍କ ସ୍ୱାମୀଙ୍କ ମର ଶରୀରର ଦୁଇ ପାଶ୍ୱର୍ ଦେଇ ଗତି କରି ଯାଉଥିଲେ । ଆଉ କିଛି ଲୋକ ଏହି ଘଟଣା ଦେଖି ଗାଡିର ଗତିକୁ ଧିମା କରିଥିଲେ ମଧ୍ୟ ପାଖକୁ ଆସିନଥିଲେ । ଏପରିକି କିଛି ଲୋକ ନିଜ ମୋବାଇଲରେ ଏପରି ଦୃଶ୍ୟକୁ ଭିଡିଓ ରେକର୍ଡିଂ କରୁଥିଲେ । କିନ୍ତୁ କେହି ହେଲେ ମଧ୍ୟ ସାହାଯ୍ୟର ହାତ ବଢାଇନଥିଲେ ।

ସ୍ୱାର୍ଥପରତା ଏବଂ ଅମାନବିକତାର ଏହି ଲଜ୍ଜାଜନକ ଦୃଶ୍ୟ ପାଖାପାଖି ଅଧ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ।
ଏହା ପରେ ମହିଳାଙ୍କ ଧୈର୍ଯ୍ୟ ଦେଇଥିଲା ଉତ୍ତର । ରାସ୍ତାରେ ବାଇକରେ ଯାଉଥିବା ଜଣେ ଯୁବକର କଲର ଧରି ତାକୁ ଅଟକାଇ ଦେଇଥିଲେ । ଏବଂ ସାହାଯ୍ୟ ବଦଳରେ କେବଳ ପୋଲିସକୁ ସୂଚନା ଦେବା ପାଇଁ ଗୁହାରି କରିଥିଲେ । ଏହା ପରେ ଯାଇ ଯୁବକଜଣଙ୍କ ପୋଲିସକୁ ଖବର ଦେଇଥିଲେ । ପାଖାପାଖି ୧ଘଣ୍ଟା ପରେ ପୋଲିସର ଜିପ ଘଟଣାସ୍ଥଳରେ ପହଞ୍ଚିଥିଲା । ତାହା ପୁଣି ଫତେହଗଞ୍ଜ ପୋଲିସ ନୁହେଁ ବରଂ ମୀରଗଞ୍ଜ ପୋଲିସ । ମୀରଗଞ୍ଜ ଥାନାର ଥାନା ଅଧିକାରୀ ଘଟଣାସ୍ଥଳରେ ଥିବା ସମୟରେ ଫତେହଗଞ୍ଜ ପୋଲିସ ସେଠାରେ ପହଞ୍ଚିଥିଲା । ଆଉ ଏହା ପରେ ତାଙ୍କ ସ୍ୱାମୀଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଥିଲା । ଏବଂ ଆହତ ଥିବା ମହିଳା ଏବଂ ତିନି ବର୍ଷର ସେହି କୁନି ଝିଅକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁଇ ଜଣ ଏବେ ସୁସ୍ଥ ଥିଲେ ମଧ୍ୟ ତାଙ୍କ ପରିବାର ଉଜୁଡିଯାଇଛି । ସ୍ୱାର୍ଥପରତା ଏବଂ ଅମାନବିକତାର ଏହି ଲଜ୍ଜାଜନକ ଦୃଶ୍ୟ ତାଙ୍କ କଷ୍ଟକୁ ଆହୁରି ବଢାଇ ଦେଇଛି ।

ଅଳ୍ପକେ ବତ୍ତିଲା ତିନି ବର୍ଷର କୁନି ଝିଅ, କ’ଣ ଥିଲା ପୁରା ଘଟଣା :

ରାମପୁର ମିଲକର ଗାଁ ପଶୁପୁରା ନିବାସୀ ୨୮ ବର୍ଷୀୟ ପ୍ରେମପାଲ ଶ୍ରମିକ କାମ କରନ୍ତି । ପ୍ରେମପାଲଙ୍କ ପରିବାରରେ ପତ୍ନୀ ଲୋଙ୍ଗଶ୍ରୀ, ୫ବର୍ଷର ଝିଅ ଆରତୀ ଏବଂ ତିନି ବର୍ଷର ଝିଅ କାଜଲ । ଲୋଙ୍ଗଶ୍ରୀଙ୍କ ଭାଇ କରନଙ୍କ ପୁଅ ସୁରଜିତ ବରେଲି ହସ୍ପିଟାଲରେ ଆଡମିଟ ଥିଲା । ବଡ ଝିଅ ଆରତୀକୁ ଘରେ ଛାଡି ବାକି ସମସ୍ତେ ବାଇକରେ ବରେଲି ଯାଉଥିଲେ । ବାଟରେ ଭାଖଡା ପୋଲ ଉପରେ ସାମ୍ନାରୁ ଆସୁଥିବା ରୋଡୱେଜ ବସ ଓଭରଟେକ କରିବା ଲକ୍ଷ୍ୟରେ ବାଇକକୁ ଧକ୍କା ଦେଇଥିଲା । ପ୍ରେମପାଲ ଓ ଝିଅ କାଜଲ ଗାଡିରୁ ପଡି ବସର ଚକା ଆଗରେ ପଡିଯାଇଥିଲେ । ବସଟି ପ୍ରେମପାଲଙ୍କ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଝିଅଟିର ଫ୍ରକ ଧରି ମା ଭିଡି ନେଇଯିବାରୁ ଝିଅର ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା ।

ପ୍ରେମପାଲଙ୍କ ସୁନାର ସଂସାର ଏବେ ଉଜୁଡି ଯାଇଛି । ଦୁଇ ଦୁଇଟି କୁନି ଝିଅଙ୍କୁ ଧରି କିପରି ଆଗକୁ ବଢିବେ ସେନେଇ ଚିନ୍ତାରେ ପ୍ରେମପାଲଙ୍କ ପତ୍ନୀ । ପ୍ରେମପାଲଙ୍କ ବିବାହ ୨୦୦୮ ମସିହାରେ ହୋଇଥିଲା ।