କନକ ବ୍ୟୁରୋ : ହୃଦୟ ବିଦାରକ ଦୃଶ୍ୟ । ଛାତିକୁ ଚହଲାଇ ଦେଲା ଭଳି ଚିତ୍ର । ମୃତକଙ୍କ ଭିତରୁ ପରିଚିତଙ୍କୁ ଖୋଜିବା କେତେ ଯନ୍ତ୍ରଣା ଦାୟକ, ସୁନ୍ଦରଗଡ଼ରୁ ଆସିଥିବା ଦୁର୍ଘଟଣାର ଦୃଶ୍ୟ ସମସ୍ତଙ୍କ ଛାତି ଥରାଇ ଦେଇଛି । ରାସ୍ତାକଡ଼ରେ ପଡ଼ିଥିବା ଶବ ଭିତରୁ ସମ୍ପର୍କୀୟ କିଏ ଏବଂ ପରିଚିତ କିଏ, ମୁହଁରେ ଘୋଡ଼ାଯାଇଥିବା କନାକୁ ଉଠାଇ ଖୋଜୁଛନ୍ତି ସମ୍ପର୍କୀୟ । ଆଉ ବିଭତ୍ସ ଚିତ୍ର ଦେଖି ଭେଁଭେଁ ହୋଇ କାନ୍ଦିପକାଇଛନ୍ତି ।

ହାଇୱା ଧକ୍କାରେ ବିଲରେ ବିଛାଡ଼ି ହୋଇ ପଡ଼ିଛି ଅଟୋ । ଦୁର୍ଘଟଣାର ତୀବ୍ରତା କେତେ ଭୟଙ୍କର ହୋଇଥିବ ତାହା ଦେଖିଲେ ହିଁ ବୁଝି ହେବ । ରାସ୍ତା ଉପରୁ ପ୍ରାୟ ୨୦ ଫୁଟ ତଳକୁ ଛିଟିକି ପଡ଼ିଛି, ଉଭୟ ଅଟୋ ଓ ହାଇୱା । । ଆଉ ଏହାରି ଭିତରେ ହିଁ ଚାପି ହୋଇ ରହିଥିଲେ, ୭ଜଣ ଯାତ୍ରୀ । ଘଟଣାସ୍ଥଳରେ ଅଟୋ ଡ୍ରାଇଭରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି । ଆଉ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ହସଖୁସିରେ ସମ୍ପର୍କୀୟଙ୍କ ଘରକୁ କୁଣିଆ ହୋଇଯାଇଥିଲେ । ଉପହାର ଆକାରରେ ସାଥୀରେ ଛେଳିଟିଏ ବି ନେଇ ଯାଇଥିଲେ । ୩ଟି ପରିବାର ୭ ଜଣ ସଦସ୍ୟଙ୍କୁ କୁଣିଆ ଭାବେ ପାଇ ସମ୍ପର୍କୀୟମାନେ ବେଶ ଖୁସି ହୋଇଯାଇଥିଲେ । ହେଲେ କିଏ ଜାଣିଥିଲା, ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଶେଷ ଥର ପାଇଁ ସେମାନେ ଦେଖୁଛନ୍ତି । ତେଲେନଡିହିରୁ ସୁନ୍ଦରଗଡ଼ ବଗିଚାପଡ଼ାକୁ ଫେରିବା ବେଳେ ଘଟିଗଲା ଦୁର୍ଘଟଣା । ଫେରୁଥିବା ଅଟୋକୁ ଚାପି ଦେଲା ହାଇୱା । ଘଟଣା ସ୍ଥଳରେ ୪ ଜଣଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି ।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତେଜନା ଭଳି ସ୍ଥିତି ସୃଷ୍ଠି ହୋଇଥିଲ । କାରଣ, ବାରମ୍ବାର ସେହି ଅଞ୍ଚଳରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଏପଟେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି