ପୁଅ ବରଯାତ୍ରୀ ବେଳେ ଚଢିଗଲା ଟ୍ରକ, ଚାଲିଗଲେ ବାପା । ବର ଆଗରେ ସବୁଦିନ ପାଇଁ ଆଖି ବୁଜିଦେଲେ ସରପଞ୍ଚ ବାପା ।

1,129

କନକ ବ୍ୟୁରୋ: ପୁଅ ଆଗରେ ଆଖିବୁଜିଲେ ବାପା । ପୁଅକୁ ବାହା କରାଇ ଘରକୁ ଫେରିବା ବେଳେ ସବୁଦିନ ପାଇଁ ବିଦାୟ ନେଇଗଲେ ବାପା । ନା ପୁଅର ବାହାଘରକୁ ଭଲରେ ଦେଖିପାରିଲେ ନା ନୂଆ ବୋହୂର ହାତରନ୍ଧା ଖାଇପାରିଲେ । ବରଯାତ୍ରୀ ଶୋଭାଯାତ୍ରାରେ ଯେତେବେଳେ ଖୁସିର ମାହୋଲ ଖେଳିଯାଇଥିଲା ସେତେବେଳେ ପଛରୁ ମାଡିଗଲା ମୃତ୍ୟୁର ଟ୍ରକ । ଆଉ ଘଟଣାସ୍ଥଳରେ ହିଁ ବାପାଙ୍କ ମୃତ୍ୟୁ ହୋଇଗଲା । ପୁଅର ବାହାଘରରେ ସବୁଠୁ ଅଧିକ ଖୁସିଥିବା ବାପା ପୁଅର ବରବେଶ ଦେଖି ଆଖିବୁଜିଦେଲେ… ଆଉ ଅଧାରେ ରହିଗଲା ବାପାଙ୍କ ଅନେକ ସ୍ୱପ୍ନ ।

ମାଲାକାନଗିରି ପାଣ୍ଡ୍ରିପାଣିରେ ବରଯାତ୍ରୀଙ୍କ ଉପରେ ଟ୍ରକ ମାଡିଯିବା ଘଟଣାରେ ସବୁଠୁ ହୃଦୟ ବିଦାରୟ କାହାଣୀ ହେଉଛି ପୁଅର ପ୍ରୋସେସନରେ ବାପାଙ୍କ ପରଲୋକ । ବରଯାତ୍ରୀଙ୍କ ଉପରେ ଟ୍ରକ ମାଡିଯିବା ହୁଏତ ବ୍ରେକିଂ ନ୍ୟୁଜ୍ ହୋଇପାରେ ହେଲେ ଏହି ବଡ ଖବର ପଛରେ ଯେ ଗୋଟେ ହୃଦୟବିଦାରକ କାହାଣୀ ରହିଛି ତାହା ସମସ୍ତଙ୍କ ଛାତିକୁ ବତୁରେଇ ଦେଇଛି ।

କନିଆକୁ ନେଇ ବର ଖୁସିରେ ଘରକୁ ଫେରୁଛି । ପୁଅର ବରଯାତ୍ରୀକୁ ବାଟ କଢେଇ ନେଉଛନ୍ତି ବାପା । ବାଜା, ବାଣ, ଗୀତର ତାଳେ ତାଳେ ସମସ୍ତେ ଝୁମୁଛନ୍ତି । ହେଲେ ଏତିକି ବେଳେ ଯେ ମୃତ୍ୟୁ ମାଡି ଆସିବ କିଏ ବା ଜାଣିଥିଲେ । ବରଯାତ୍ରୀଙ୍କ ଉପରେ ଏକ ଟ୍ରକ ହଠାତ ପଛରୁ ଚାପିଦେଇଥିଲା । ଆଉ ଦୁର୍ଘଟଣାରେ ଚାଲିଯାଇଥି ପାଣ୍ଡ୍ରିପାଣି ସରପଞ୍ଚ ତଥା ବରର ବାପା ଶିବ ଖେମୁଡୁଙ୍କ ଜୀବନ । ଦୁର୍ଘଟଣାର ଚିତ୍ର ଏତେ ଭୟଙ୍କର ଯେ ତାହକୁ ଦେଖାଇବା ଅସମ୍ଭବ ।

ତେବେ ଘର ମାତ୍ର ଆଉ ୨୦୦ ମିଟର ଦୂର ଥିଲା । ଶୋଭାଯାତ୍ରା ସରିଥିଲେ ନୂଆ ବୋହୂକୁ ନେଇ ଘରକୁ ଯାଇଥାନ୍ତା ପୁଅ । ଆଉ ବୋହୂର ହାତରନ୍ଧା ସହ ସେବା ପାଇଥାନ୍ତେ ଶ୍ୱଶୁର । ହେଲେ ଭାଗ୍ୟର ବିଡମ୍ବନା, ପୁଅ ବରଯାତ୍ରୀରେ ବାପା ଏ ଦୁନିଆରୁ ଚିର ବିଦାୟ ନେଲେ । ଏ ଦୁଃଖଦ ଘଟଣା ପୂରା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଥିବା ବେଳେ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବାର ଓ ସମ୍ପର୍କୀୟଙ୍କ ଘର ।