ହରିୟାଣାରେ ଓଲଟିଲା ସ୍କୁଲ ବସ୍ । ୬ ଜଣ ଛାତ୍ରଛାତ୍ରୀଙ୍କର ଚାଲିଗଲା ଜୀବନ, ନିଶାଶକ୍ତ ଅବସ୍ଥାରେ ଥିଲେ ଡ୍ରାଇଭର ।

136

କନକ ବ୍ୟୁରୋ : ହରିୟାଣାର ମହେନ୍ଦ୍ରଗଡରେ ଭୟଙ୍କର ସଡକ ଦୁର୍ଘଟଣା । ଗୁରୁବାର ଏକ ଘରୋଇ ସ୍କୁଲ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୬ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଅଧିକ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । କନିନା-ଦାଦରି ରାସ୍ତାରେ ଏହି ଦୁର୍ଘଟଣା ହୋଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବସ୍ ଚାଳକ ଜଣକ ନିଶାଶକ୍ତ ଅବସ୍ଥାରେ ଥିବାରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ତେବେ ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଥିଲେ କି ନାହିଁ ପୋଲିସ ତାହାର ଯାଞ୍ଚ କରୁଛି । ଏହି ଘରୋଇ ସ୍କୁଲ ବସରେ ୩୫ରୁ ୪୦ ଛାତ୍ରଛାତ୍ରୀ ସ୍କୁଲ ଯାଉଥିଲେ । ସରକାରୀ ଛୁଟି ଥିବା ସତ୍ତେ୍ୱ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସ୍କୁଲ ନିଆଯାଉଥିଲା । ତେଣୁ ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏହି ହୃଦୟବିଦାରକ ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ୫ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଭେଣ୍ଟିଲେଟରରେ ଆଉ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଛି ।