ଏମିତି ବି ଆସେ ମୃତ୍ୟୁ ! ଦୁର୍ଘଟଣା ଦେଖି ଆମ୍ବୁଲାନ୍ସକୁ ଫୋନ କରୁଥିବା ବେଳେ ଚାପି ଦେଲା ଟ୍ରକ୍, ଘଟଣାସ୍ଥଳରେ ହିଁ ଉଡିଗଲା ପ୍ରାଣବାୟୁ

3,360

କନକ ବ୍ୟୁରୋ: ଚଣ୍ଡିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର ଜେନାପୁର ଥାନା ଅନ୍ତର୍ଗତ ବାଘୁଆଛକରେ ଗତକାଲି ସଡକ ଦୁର୍ଘଟଣା ଘଟି ଚାଲି ଯାଇଛି ଦୁଇ ଦୁଇଟି ଅମୂଲ୍ୟ ଜୀବନ । ସୂଚନା ମୁତାବକ, ଗତକାଲି ପ୍ରାୟ ଦିନ ୩ଟା ବେଳେ ସୁକିନ୍ଦାର ଚନ୍ଦ୍ରଶେଖର ନିଜ ପାସନ୍ ପ୍ଲସ ବାଇକ୍ ଯୋଗେ ଚଣ୍ଡିଖୋଲରୁ ଡୁବୁରି ଅଭିମୁଖେ ଯାଉଥିବା ବେଳେ ବାଘୁଆଛକ ନିକଟରେ ସାମନାରୁ ଆସୁଥିବା ଏକ ୧୦ ଚକିଆ ଟ୍ରକ୍ ତାଙ୍କୁ ଧକ୍କାଦେଇ ଫେରାର ହୋଇଯାଇଥିଲା । ସେହି ସମୟରେ ଜେନାପୁର ଥାନା କବାଟବନ୍ଧ ଗାଁର ଅଜୟ ନିଜ ହିରୋ ସିବିଜେଡ ବାଇକ୍ ଯୋଗେ ଚଣ୍ଡିଖୋଲ ଆଡ଼େ ଯାଉଥିଲେ ।

ତେବେ ଦୁର୍ଘଟଣା ଦେଖି ବାଇକରୁ ଓହ୍ଲାଇ ଆମ୍ବୁଲାନ୍ସକୁ ଫୋନ କରୁଥିବା ବେଳେ ଚଣ୍ଡିଖୋଲ ପଟୁ ଡୁବୁରି ଆଡେ ଯାଉଥିବା ଏକ ସିମେଣ୍ଟ ବୋଝେଇ ୧୦ ଚକିଆ ଟ୍ରକ ତାଙ୍କ ଉପରେ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ଟିକିନାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ କଳିଙ୍ଗନଗରସ୍ଥିତ ଟାଟା ମେଡିକାଲକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣାପରେ ଲୋକେ ଉତ୍ୟକ୍ତ ହୋଇ ଚଣ୍ଡିଖୋଲ-ଡୁବୁରି ରାଜପଥ ଅବରୋଧ କରିଥିଲେ ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ଶହଶହ ଗାଡି ଅଟକି ରହିଥିଲା । ଜେନାପୁର ଥାନା ଆଇଆଇସି ଓ ଧର୍ମଶାଳା ଅତିରିକ୍ତ ତହସିଲଦାର ଦୁର୍ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ରେଡକ୍ରସ ପାଣ୍ଠିରୁ ମୃତ ଟିକିନାଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରିବାରୁ ଏକ ଘଣ୍ଟାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

ମୃତ ଚନ୍ଦ୍ରଶେଖରଙ୍କର ଶବକୁ ବ୍ୟବଛେଦ ପାଇଁ ଦାନଗଦୀ ମେଡିକାଲ ନିଆଯାଇଥିବା ବେଳେ ଟିକିନାଙ୍କ ଶବକୁ ବ୍ୟବଛେଦ ପାଇଁ ବଡଚଣା ପଠାଯାଇଥିବାର ଜଣାଯାଇଛି । ଜେନାପୁର ପୁଲିସ ଦୁର୍ଘଟଣାଗ୍ରସ୍ତ ଦୁଇଟି ବାଇକ ଓ ସିମେଣ୍ଟ ବୋଝେଇ ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।