ସଡକ ଦୁର୍ଘଟଣାରେ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୫ ସଂପର୍କୀୟ ମୃତ,ଅନ୍ତିମ ସଂସ୍କାର କରି ଫେରୁଥିଲେ ସଂପର୍କୀୟ

525

କନକ ବ୍ୟୁରୋ : ଗୋଟିଏ ସମୟରେ ଅଭିନେତା ସୁଶାନ୍ତସିଂ ରାଜପୁତଙ୍କ ମୃତ୍ୟୁରେ ପୁରା ପରିବାର ଭିତରେ ଶୋକର ଛାୟା ଖେଳିଯାଇଥିବା ବେଳେ ଏବେ ତାଙ୍କ ସଂପର୍କୀୟ ୫ ଜଣଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି   । ସୂଚନା ମୁତାବକ ବିହାର ଲଖିସରାଇ ଠାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜମୁଇ ଜିଲ୍ଲା ଖେରା ଥାନା ଭଣ୍ଡରା ଗ୍ରାମର ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ସୁଶାନ୍ତସିଂ ରାଜପୁତଙ୍କ ଭିଣୋଇ ତଥା ହରିଆଣା କ୍ୟାଡରର ଆଇପିଏସ ଓମ୍ ପ୍ରକାଶ ସିଂଙ୍କ ପରିବାର ଲୋକ ହୋଇଥିବା ସୂଚନା ମିଳିଛି ।

ଓମପ୍ରକାଶ ସିଂଙ୍କ ଭଉଣୀର ଅନ୍ତିମ ସଂସ୍କାର କରି ମୋଟ ୧୦ ଜଣ ଲୋକ ଏକ ସୁମୋ ଗାଡିରେ ଫେରୁଥିବା ବେଳେ ଲଖିସରାଇ ଠାରେ ତାଙ୍କ ଗାଡି ଦୁର୍ଘଟଣାରେ ଶିକାର ହୋଇଥିଲା । ଏଥିରେ ଘଟଣା ସ୍ଥଳରେ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ସୁଶାନ୍ତସିଂଙ୍କ ସଂପର୍କୀୟ ଓ ଜଣେ ଡ୍ରାଇଭର ରହିଛନ୍ତି । ଏହାସହ ଅନ୍ୟ ୪ ଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଏହି ଦୁର୍ଘଟଣା ଲଖିସରାଇ ଜିଲ୍ଲାର ହଲସୀ ଥାନା ଅନ୍ତର୍ଗତ ଶେଖପୁରା ରୋଡର ପିପରା ଠାରେ ହୋଇଛି । ସୁମୋ ଭିକ୍ଟା ଗାଡିରେ ପରିବାର ଲୋକେ ଫେରୁଥିବା ବେଳେ ଏକ ଟ୍ରକସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୫ ଜଣ ଲୋକ ସୁଶାନ୍ତଙ୍କ ଭିଣୋଇଙ୍କ ପରିବାରର ହୋଇଥିବା ବେଳେ ଅନ୍ୟ ଜଣେ ଡ୍ରାଇଭର ବି ଅଛନ୍ତି ।

କହିରଖୁ କି ବଲିଉଡର ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଗତବର୍ଷ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଥିଲା । ତାଙ୍କ ମୃତଦେହ ମୁମ୍ବାଇସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଥିଲା । ଏହାପରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପୁରାଦେଶରେ ରାଜନୀତି ବି ସରଗରମ ହୋଇଥିଲା । ମହାରାଷ୍ଟ୍ର ସରକାର ଓ ବିହାର ସରକାର ବି ଏହାକୁ ନେଇ ମୁହାଁ ମୁହିଁ ହୋଇଥିଲେ ।