ଭୁବନେଶ୍ୱରରେ ଖଣ୍ଡଗିରି ନିକଟରେ ଦୁର୍ଘଟଣା । ଘଟଣାରେ ମାଲ ବୋଝେଇ ଟ୍ରଲର ଡ୍ରାଇଭର ମୃତ, ହେଲପର ଗୁରୁତର

397

କନକ ବ୍ୟୁରୋ : ଭୁବନେଶ୍ୱର ଖଣ୍ଡଗିରି ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ଜୀବନ ଚାଲିଯାଇଛି । ଆଉ ଜଣେ ଗୁରୁତର ଭାବରେ ଆହତ ହୋଇଛନ୍ତି ।
ଆଜି ସକାଳୁ ମାଲ ବୋଝେଇ ଟ୍ରଲର ଖୋର୍ଦ୍ଧା ଆଡୁ ଭୁବନେଶ୍ୱର ଆସୁଥିଲା । ଖଣ୍ଡଗିରି ଓଭର ବ୍ରିଜ ପଛକୁ ଥିବା ହମ୍ସରେ ବ୍ରେକ ମାରିଥିଲା ଡ୍ରାଇଭର । ଯାହା ଦ୍ୱାରାରେ ଗାଡ଼ିରେ ଲୋଡ ହୋଇଥିଲା କଂଟେନର ଚେନ ଛିଡ଼ି ଯାଇଥିଲା । କଂଟେନର ସିଧା ଇଞ୍ଜିନ ଉପରେ ଚଢ଼ି ଯାଇଥିଲା । ଘଟଣା ସ୍ଥଳରେ ଡ୍ରାଇଭର ମୃତ୍ୟୁ ହୋଇଯାଇଛି । ମାଲ ବୋଝେଇ ଟ୍ରଲର ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର । ହେଲପରକୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତି କରାଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ହେଲପରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ରାସ୍ତା ଉପରେ ଦୁର୍ଘଟଣା ହୋଇ ପଡିଥିବା ଟ୍ରଲର ଏବଂ କଣ୍ଟେନରକୁ କ୍ରେନ୍ ଯୋଗେ ରାସ୍ତା ଉପରୁ କଢାଯାଇଛି ।