ରାସ୍ତା ମଝିରେ ଛଟପଟ ହୋଇ ପ୍ରାଣ ହରାଇଲେ ବ୍ୟକ୍ତି । ଦେଖଣାହାରି ସାଜିଲେ ଶହ ଶହ ଲୋକ, କେହି କଲେନି ସାହାଯ୍ୟ ।

251

କନକ ବ୍ୟୁରୋ : ରାସ୍ତାକଡରେ ଯଦି କେହି ଦୁର୍ଘଟଣାର ଶିକାର ହୁଅନ୍ତ. ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଁଚାଉଥିବା ଲୋକ ଯେମିତି ତଦନ୍ତ ନାଁରେ ହଇରାଣ ନହେବେ ସେଥିପାଇଁ ସରକାର ଅନେକ ନିୟମ ଆଣିଛନ୍ତି । ଉଦ୍ଧାରକାରୀ ବ୍ୟକ୍ତିଙ୍କୁ ପୁରସ୍କାର ଦେବାର ବ୍ୟବସ୍ଥା ମଧ୍ୟ କରିଛନ୍ତି । ସଡକ ସୁରକ୍ଷା ସଚେତନତା ସମୟରେ ଏନେଇ ଲୋକମାନଙ୍କୁ ବୁଝା ବି ଯାଉଛି । କିନ୍ତୁ ଏସବୁର କିଛି ମାନେ ନାହିଁ । ଗତକାଲି ଦିନ ଦ୍ୱିପ୍ରହରରେ ଭୁବନେଶ୍ୱର ଗୋହିରା ଛକ ନିକଟରେ ଘଟିଥିବା ଦୁର୍ଘଟଣା ପରର ଦୃଶ୍ୟ ସରକାରଙ୍କ ଏତେ ଯୋଜନାକୁ ଉପହାସ କରୁଛି ।

ମଙ୍ଗଳବାର । ସମୟ- ଦିନ ପ୍ରାୟ ୧୧ଟା । ସ୍ଥାନ- ୧୬ ନମ୍ବର ଜାତୀୟ ରାଜପଥ, ଗୋହିରା ଛକ । ରାସ୍ତା କଡରେ ଗାଡି ରଖି ଓହ୍ଲାଇଥିଲେ ସାଲିଆ ସାହିର ଆନନ୍ଦ ପ୍ରଧାନ । ଓହ୍ଲାଇବା ମାତ୍ରେ କିଛି ବୁଝିବା ପୂର୍ବରୁ ତାଙ୍କୁ ଧକା ଦେଇଥିଲା ଖୋର୍ଦ୍ଧା ପଟୁ ଦ୍ରୁତ ଗତିରେ ମାଡି ଆସୁଥିବା ତେଲ ଟ୍ୟାଙ୍କର । ଫଳରେ ଜାତୀୟ ରାଜପଥ କଡରେ ଥିବା ସର୍ଭିସ ରୋଡକୁ ସେ ଛିଟିକି ପଡିଥିଲେ । ସେହି ବାଟ ଦେଇ ଯାଉଥିବା ଲୋକେ ଧିରେ ଧିରେ ଭିଡ ଜମାଇଥିଲେ । କିନ୍ତୁ ଆନନ୍ଦ ରାସ୍ତାରେ ପଡି ଛଟପଟ ହେଉଥିଲେ ବି କେହି ତାଙ୍କୁ ହସ୍ପିଟାଲ ନେବାକୁ ଉଦ୍ୟମ କରିନଥିଲେ । ସମସ୍ତେ କହୁଥିଲେ, ଆହା ଲୋକଟା ଛଟପଟ ହେଉଛି, କେହି ଜଣେ ମେଡିକାଲ ନେଇଯାଆ । କିନ୍ତୁ କେହି ନେଇ ନଥିଲେ ।

ମରିଗଲା ମାନବିକତା । ଦେଖଣାହାରି ପାଲଟିଲେ ଶହ ଶହ ଲୋକ । ସରକାରଙ୍କ ବିଭିନ୍ନ ସଚେତନତା ସତ୍ୱେ ରାସ୍ତା ଉପରେ ଶହ ଶହ ଗାଡି ମଟର ଯାଆସ କରୁଥିଲେ ବି କେହି ସାହାସ କରି ଆନନ୍ଦଙ୍କୁ ମେଡିକାଲକୁ ନେଇନଥିଲେ । କିଛି ଲୋକ ପୁଲିସ କଂଟ୍ରୋଲ ରୁମ ଓ ଆମ୍ବୁଲାନ୍ସକୁ ଫୋନ କରି ବି ଚୁପ ରହି ଯାଇଥିଲେ । ଆଉ ଆମ୍ବୁଲାନ୍ସ ପହଞ୍ଚିଲାବେଳକୁ ଛଟପଟ ହୋଇ ଆନନ୍ଦଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଏମ୍ସରେ ପହଞ୍ଚିବା ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ତେଲ ଗାଡିକୁ ତମାଣ୍ଡୋ ନିିକଟରୁ ଧରି ପୋଲିସ ଜିମା ଦେଇଥିଲେ ସ୍ଥାନୀୟ ଲୋକେ ।