କରୋନା ବେଳେ ସଚେତନ କଲେ ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି । ସଙ୍ଗରୋଧ, ଟେଷ୍ଟିଂ ଏବଂ ସତର୍କତା ଅବଲମ୍ବନ ଉପରେ ଗୁରୁତ୍ୱ ।

210

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା କୋଭିଡ୍ ସଂକ୍ରମଣ ଭିତରେ ଆଜି ରାଜ୍ୟବାସୀଙ୍କ ସମସ୍ତ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି । କୋଭିଡ୍ ସଂପର୍କୀତ ପ୍ରେସମିଟ କରି ସେ ଦ୍ୱିତୀୟ ଲହର ଏବଂ ଲୋକମାନେ କିପରି ଏଥିରୁ ସୁରକ୍ଷିତ ରହିବେ ସେ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ରଖିଛନ୍ତି । ତେବେ ନଜର ପକାନ୍ତୁ, କୋଭିଡକୁ ନେଇ ଲୋକଙ୍କ ପ୍ରଶ୍ନ ଓ ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କ ଉତ୍ତର…

ସଂଘମିତ୍ରାଙ୍କ କହିବା ଅନୁସାରେ, ଦ୍ୱିତୀୟ ଲହର ସବୁବେଳେ ଅଧିକ ବେଗରେ ବ୍ୟାପିଥାଏ । ତେଣୁ ସମସ୍ତେ ଅଧିକ ସଚେତନ, ସତର୍କ ରହିବା ନିହାତି ଆବଶ୍ୟକ । ଏଥିସହ ଯଦି କାହା ପାଖରେ କୋଭିଡର ଲକ୍ଷଣ ପ୍ରକାଶ ପାଉଛି ତେବେ ସେ ତୁରନ୍ତ ଯାଇ ପରୀକ୍ଷା କରାଇନେବା ଉଚିତ୍ । ତତ୍ ସହିତ ଯଦି ଜଣେ ବ୍ୟକ୍ତି ଟିକା ନେଇ ମଧ୍ୟ କୋଭିଡ୍ ରୋଗୀଙ୍କ ସଂସ୍ପର୍ଶରେ ଆସୁଛି, ତେବେ ସେ ମଧ୍ୟ ନିଜକୁ ସଙ୍ଗରୋଧରେ ରଖିବା ସହିତ ଆବଶ୍ୟକ ସ୍ଥଳେ ଟେଷ୍ଟ କରାଇନେବାକୁ ସେ କହିଛନ୍ତି ।

ଅନ୍ୟପଟେ ଜଣେ ବ୍ୟକ୍ତି ନିଜର ସାମ୍ପୁଲ ପରୀକ୍ଷା ପାଇଁ ଦେଇଥିଲେ, ରିପୋର୍ଟ ଆସିବା ଯାଏଁ ନିଜକୁ ସଙ୍ଗରୋଧରେ ରଖନ୍ତୁ । କୋଭିଡର ସମସ୍ତ ନିୟମ ପାଳନ କରିବା ସହିତ ମାସ୍କ ଓ ସାମାଜିକ ଦୂରତା ପାଳନ କରିବାକୁ ଡାକ୍ତର ସଂଘମିତ୍ରା ପତି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଆବଶ୍ୟକସ୍ଥଳେ ଲୋକମାନେ ୧୦୪, ୧୯୨୯ ନମ୍ବରରେ ଡାଏଲ କରିବା ସହିତ ଡାକ୍ତରଙ୍କ ପରାମର୍ଶ ନେଇପାରିବେ ବୋଲି କୁହାଯାଇଛି ।

ଏହାସହ ଗୋଟିଏ ପରିବାରର ସମସ୍ତେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେ ସେମାନେ ସମସ୍ତେ ସାଙ୍ଗ ହୋଇ ରହିପାରିବେ । ହେଲେ ଏହି ସମୟରେ ସେମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ଯଦି ନେଗେଟିଭ୍ ରିପୋର୍ଟ ମିଳିବା ପରେ ବି ଆପଣଙ୍କ ପାଖରେ କୋଭିଡର ଲକ୍ଷଣ ଦେଖିବାକୁ ମିଳୁଛି, ତେବେ ଡାକ୍ତରଙ୍କ ପରାମର୍ଶ ସହିତ ତୁରନ୍ତ ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି ।