ରାଜଧାନୀରେ ଆଲୋଡନ, ବ୍ରିଟେନ ଫେରନ୍ତାଙ୍କୁ କରୋନା: ହସ୍ପିଟାଲରେ କରାଗଲା ଭର୍ତ୍ତି; ପରିବାର ଲୋକଙ୍କ କରୋନା ପରୀକ୍ଷା, ନୂଆ ଷ୍ଟ୍ରେନ କି ନୁହେଁ ହୋଇନି ସ୍ପଷ୍ଟ

--- ପରୀକ୍ଷାନିରୀକ୍ଷା କରୁଛି ଆରଏମଆରସି---

119

କନକ ବ୍ୟୁରୋ: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ, ଚାରିଆଡେ ଭୟର ବାତାବରଣ ଖେଳି ଯାଇଛି । ଆଉ ଏହି ସମୟରେ ବ୍ରିଟେନରୁ ଓଡିଶା ଫେରିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏହି ବ୍ୟକ୍ତିଙ୍କ ଠାରେ ବ୍ରିଟେନର ସେହି ନୂଆ ଷ୍ଟ୍ରେନ ଆସିଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଏପଟେ ବ୍ରିଟେନ ଫେରନ୍ତା ବ୍ୟକ୍ତି ନୂଆ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି ନା ନାହିଁ ସେ ନେଇ ପରୀକ୍ଷା ନିରୀକ୍ଷା କରୁଛି ଆରଏମଆରସି । ସେ ବ୍ରିଟେନରୁ ଭୁବନେଶ୍ୱର ଆସିବା ପରେ କାହା କାହା ସଂସ୍ପର୍ଶରେ ଆସିଛନ୍ତି, ସେନେଇ କଂଟାକ୍ଟ ଟ୍ରେସିଂ ମଧ୍ୟ କରାଯାଉଛି । ପଜିଟିଭ ଚିହ୍ନଟ ପରେ ବ୍ରିଟେନ ଫେରନ୍ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ତାଙ୍କ ପରିବାର ଲୋକଙ୍କର ମଧ୍ୟ କୋଭିଡ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି ।

ସଂପୃକ୍ତ ବ୍ୟକ୍ତି ଗତ ୧୮ ତାରିଖରେ ବ୍ରିଟେନରୁ ଭୁବନେଶ୍ୱରକୁ ଫେରିଥିଲେ । ଏହା ଜାଣିବା ପରେ ବିଏମସି ପକ୍ଷରୁ ତାଙ୍କର କୋଭିଡ ପରୀକ୍ଷା ପାଇଁ ନମୂନା ସଂଗ୍ରହ କରିଯାଇଥିଲା । ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ଓ ପରିବାର ଲୋକଙ୍କ କୋଭିଡ ଟେଷ୍ଟ ପାଇଁ ନମୂନା ସଂଗ୍ରହ କରାଯାଇଛି । ଏପଟେ କରୋନା ନୂଆ ଷ୍ଟ୍ରେନକୁ ନେଇ ଭୁବନେଶ୍ୱର ବିମାନବନ୍ଦର ପକ୍ଷରୁ ଏସଓପି ଜାରି କରାଯାଇଛି । ବିଦେଶରୁ ଫେରୁଥିବା ଯାତ୍ରୀଙ୍କୁ ନେଇ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ଏସଓପିରେ କୁହାଯାଇଛି- ଲକ୍ଷଣ ଥିବା ୫୫ ବର୍ଷରୁ ଅଧିକ ସମସ୍ତ ଯାତ୍ରୀଙ୍କ ଆଟିଂଜେନ ଟେଷ୍ଟ ବାଧ୍ୟତାମୂଳକ । ବିମାନ ବନ୍ଦରରେ ରାପିଡ ଆଂଟିଜେନ ଟେଷ୍ଟ ସୁବିଧା ଓ ହେଲ୍ପ ଡେସ୍କ ରହିଛି । ଡିସେମ୍ବର ୨୪ରୁ ବିମାନବନ୍ଦର ପରିସରରେ ଆରଟିପିସିଆର ଟେଷ୍ଟ ବ୍ୟବସ୍ଥା ଉପଲବ୍ଧ ହେବ ।

ଗତ ୧୪ ଦିନ ଭିତରେ ବ୍ରିଟେନ ଫେରନ୍ତା ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟର ନେଗେଟିଭ ରିପୋର୍ଟ ନଥିଲେ ଆରଟିପିସିଆର ପରୀକ୍ଷା କରିବା ବାଧ୍ୟତାମୂଳକ । ବିଦେଶ ଫେରନ୍ତା ଯାତ୍ରୀଙ୍କ ସଂପର୍କରେ ସୂଚନା ପାଇଁ ସମସ୍ତ ବିମାନ ସେବା ପ୍ରଦାନ କାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ବିମାନବନ୍ଦର ଟର୍ମିନାଲ ପରିସରରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀଙ୍କ ଯାଂଚ କରାଯାଉଛି । ବର୍ତମାନ ଭୁବନେଶ୍ୱରକୁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ ଅଛି । ତେବେ ପ୍ରତ୍ୟେକ ଦିନ ପ୍ରାୟ ୨୭ଟି ବିମାନ ଆସୁଛି  ଓ ୨୭ଟି ବିମାନ ଭୁବନେଶ୍ୱରରୁୁ ଯାଉଛି । ବ୍ରିଟେନରେ ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଏହି ସତର୍କତା ଅବଲମ୍ବନ କରାଯାଉଛି ।