ମେଡିକାଲରେ ଲାଲୁଙ୍କୁ ଭେଟିଲେ ନିତୀଶ କୁମାର, କହିଲେ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବ ରାଜ୍ୟ ସରକାର

1,091

କନକ ବ୍ୟୁରୋ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ଲାଲୁ ଯାଦବ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଅଧିକ ଚିକିତ୍ସାର ଆବଶ୍ୟକତା ଥିବାରୁ ତାଙ୍କୁ ଆଜି ସନ୍ଧ୍ୟାରେ ଏୟାର ଆମ୍ବୁଲାନ୍ସ ସହାୟତାରେ ପାଟନାରୁ ଦିଲ୍ଲୀ ନିଆଯିବ । ଏଭଳି ସୂଚନା ପାଇବା ପରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଲାଲୁ ଯାଦବଙ୍କୁ ପାରସ ମେଡିକାଲରେ ଭେଟିଛନ୍ତି । ସେଠାରେ ସେ ତେଜସ୍ୱୀ ଯାଦବଙ୍କ ଠାରୁ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏହାପରେ ନିତୀଶ କୁମାର ଲାଲୁଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ ସହ ଆଲୋଚନା କରିଛନ୍ତି । ଏହି କ୍ରମରେ ନିତୀଶ କହିଛନ୍ତି କି ଡାକ୍ତରଙ୍କ ସୂଚନା ମୁତାବକ ଏବେ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି , ତାଙ୍କୁ ଦିଲ୍ଲୀ ନିଆଯାଇ ସେଠାରେ ସମସ୍ତ ପ୍ରକାର ପରୀକ୍ଷା କରାଯିବ । ଏନେଇ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ନିତୀଶ କୁମାର କହିଛନ୍ତି । ଏହାସହ ସେ ଲାଲୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏହାସହ ନିତୀଶ କହିଛନ୍ତି କି ଲାଲୁଙ୍କୁ ସିଙ୍ଗାପୁର ନେବାର ଥିଲା । ହେଲେ ଏବେ ତାଙ୍କୁ ଦିଲ୍ଲୀରେ ରଖି ଚିକିତ୍ସା କରାଯିବ । ଯଦି ଦିଲ୍ଲୀର ଡାକ୍ତର ଅନୁମତି ଦିଅନ୍ତି ତେବେ ତାଙ୍କୁ ତୁରନ୍ତ ସିଙ୍ଗାପୁର ନିଆଯିବ । ଏହାସହ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପ୍ରଧାନମନ୍ତ୍ରୀ ନିତୀଶ କୁମାରଙ୍କ ସହ ଆଲୋଚନା କରିଥିବା କଥା ନିତୀଶ କହିଛନ୍ତି ।

କହିରଖୁ କି ସ୍ୱାସ୍ଥ୍ୟଗତ କାରଣରୁ ଲାଲୁ ଦୀର୍ଘଦିନ ହେବ ଚିକିତ୍ସିତ ହେଉଛନ୍ତି । ଏପଟେ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ନିତୀଶ କୁମାର ସର୍ବଦା ନଜର ରଖିଥିବା କଥା କୁହାଯାଉଛି ।