କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଗୋଟିଏ ପଟେ ପ୍ରାଣ ପ୍ରତିଷ୍ଠାର ସୂଚନା ଦେବାକୁ ଆଜିଠାରୁ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ପ୍ରତିଟି ଘରେ ଅକ୍ଷତ ନିମନ୍ତ୍ରଣ ଦେବା କାମ ଆରମ୍ଭ ହୋଇଛି ତ ସେପଟେ ବିବାଦୀୟ ବୟାନବାଜୀ ବି ଜାରି ରହିଛି । ଏହାରି ମଧ୍ୟରେ ବିହାର ରାଜଧାନୀ ପାଟନାରେ ଆରଜେଡି ତରଫରୁ ପୋଷ୍ଟର ଲାଗିଛି । ଏହି ପୋଷ୍ଟରରେ ମନ୍ଦିର ମାନସିକ ଗୋଲାମୀର ମାର୍ଗ ବୋଲି କୁହାଯାଇଛି ।
ଲାଲୁ ଓ ରାବଡୀ ଦେବୀଙ୍କ ବାସଭବନ ବାହାରେ ଅନେକ ପୋଷ୍ଟର ଲାଗିଛି । ଏଥିରେ ମନ୍ଦିର ଓ ଶିକ୍ଷାର ତୁଳନା କରାଯାଇଛି । ଏହି ପୋଷ୍ଟରରେ ଗୋଟିଏ ପଟେ ଲାଲୁ ଯାଦବ ଓ ଅନ୍ୟ ପଟେ ରାବଡୀ ଦେବୀଙ୍କର ଫଟୋ ରହିଛି । ଏହାସହ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ମହାତ୍ମା ବୁଦ୍ଧ, ସମ୍ରାଟ ଅଶୋକ, ସାବିତ୍ରୀବାଇ ଫୁଲେ ତଥା ଅନ୍ୟ କିଛି ଲୋକଙ୍କର ଫଟୋ ରହିଛି ।
ପୋଷ୍ଟରରେ ଲେଖାଯାଇଛି, ମନ୍ଦିରର ଅର୍ଥ ଗୋଲାମୀର ମାର୍ଗ ଓ ସ୍କୁଲର ଅର୍ଥ ଜୀବନରେ ପ୍ରକାଶର ମାର୍ଗ । ଯେବେ ମନ୍ଦିରର ଘଣ୍ଟି ବାଜିଥାଏ ତେବେ ତାହା ସନ୍ଦେଶ ଦେଇଥାଏ କି, ଅନ୍ଧବିଶ୍ୱାସ, ପାଖଣ୍ଡି, ମୁର୍ଖତା ଓ ଅଜ୍ଞାନତା ଦିଗରେ ମାନବ ସମାଜ ବଢୁଛି ତ ଯେତେବେଳେ ସ୍କୁଲର ଘଣ୍ଟି ବାଜିଥାଏ ସେତେବେଳେ ଏହି ସନ୍ଦେଶ ମିଳିଥାଏ କି ଆମେ ତର୍କପୂର୍ଣ୍ଣ ଜ୍ଞାନ ଓ ବିଜ୍ଞାନ ଦିଗରେ ଆଗଉଛେ । ତେବେ ଆପଣଙ୍କୁ ନିଷ୍ପତ୍ତି ନେବାକୁ ହେବ କି ଆପଣଙ୍କୁ କେଉଁ ରାସ୍ତାରେ ଯିବା ଉଚିତ : ସାବିତ୍ରୀ ବାଇ ଫୁଲେ ।
ସୂଚନା ମୁତାବକ ସାବିତ୍ରୀ ବାଇ ଫୁଲେଙ୍କ ଜୟନ୍ତୀ ସମାରୋହର ଆୟୋଜନ ଜାନୁଆରୀ ୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମର ଉଦଘାଟନ ବିହାର ଶିକ୍ଷାମନ୍ତ୍ରୀ ଡ.ଚନ୍ଦ୍ରଶେଖର କରିବେ ।