ବିହାରରେ ପରାଜୟ ପରେ ନିର୍ବାଚନ କମିସନଙ୍କୁ ଦୋଷ ଦେଲେ ଆରଜେଡି ନେତା ତେଜସ୍ୱୀ ଯାଦବ । ଗଣମାଧ୍ୟମ ଜରିଆରେ ବିହାରବାସୀଙ୍କୁ ଦେଲେ ଧନ୍ୟବାଦ

219

କନକ ବ୍ୟୁରୋ : ବିହାର ନିର୍ବାଚନ ଫଳାଫଳ ପରେ ଆରଜେଡି ବିଧାୟକ ଦଳର ବୈଠକ । ବୈଠକ ପରେ ବିହାରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ତେଜସ୍ୱୀ ଯାଦବ । କହିଲେ, ମହାଗଠବନ୍ଧନ ସପକ୍ଷରେ ଜନତାଙ୍କ ସମର୍ଥନ । ନିର୍ବାଚନ ହାରିନୁ , ଜିତୁଛି ବୋଲି କହିଛନ୍ତି ତେଜସ୍ୱୀ ଯାଦବ । ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ତେଜସ୍ୱୀ । କହିଛନ୍ତି , ଛଳନା ଓ କପଟର ସରକାର ଗଢାଯାଇଛି । କ୍ଷମତା ପ୍ରତି ନୀତିଶ କୁମାରଙ୍କ ଲୋଭ ରହିଛି । ଗୁପ୍ତ ଦ୍ୱାର ଦେଇ ସରକାରକୁ ଆସିଛି ବିଜେପି । ନିର୍ବାଚନରେ ଏନଡିଏକୁ ମିଳିଛି ୩୭.୩ ପ୍ରତିଶତ ଓ ମହାମେଂଟକୁ ମିଳିଛି ୩୭.୨ ପ୍ରତିଶତ ଭୋଟ । ମହାମେଂଟର ପ୍ରାୟ ୨୦ ପ୍ରାର୍ଥୀ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିବାରୁ ପୁନଃ ଭୋଟ ଗଣତି କରିବାକୁ ତେଜସ୍ୱୀ ଦାବି କରିଛନ୍ତି ।

ବିହାରରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନୀତିଶ କୁମାର । ରାଜ୍ୟରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳିଛି । ତେଣୁ ଦୀପାବଳି ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ । ଖବର ଅନୁସାରେ, ୧୬ ନଭେମ୍ବରରେ ନୀତିଶଙ୍କ ଶପଥଗ୍ରହଣ ସମାରୋହ ହୋଇପାରେ । ୨ ହଜାର ମସିହାରୁ ସେ ବିହାରର ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି । ବିହାରରେ ଏନଡିଏ ମେଂଟରେ ବିଜେପି ସବୁଠାରୁ ବଡ ଦଳ ହେବା ପରେ ଅନୁମାନ କରାଯାଉଥିଲା ବିଜେପି ମୁଖ୍ୟମନ୍ତ୍ରୀ ପଦ ଦାବି କରିପାରେ । କିନ୍ତୁ ଗତକାଲି ବିଜେପି ମୁଖ୍ୟାଳୟରେ କର୍ମୀଙ୍କୁ ସମ୍ବୋଧନ ବେଳେ ମୋଦି ସ୍ପଷ୍ଟ କରିଥିଲେ ଯେ, ନୀତିଶଙ୍କ ନେତୃତ୍ୱରେ ହିଁ ବିହାରରେ ଏନଡିଏ ସରକାର ହେବ ।

ଗତକାଲି ସନ୍ଧ୍ୟାରେ ନିର୍ବାଚନ ଫଳାଫଳ ନେଇ ନୀତିଶ ପ୍ରତିକ୍ରିୟା ଦେଇଥିଲେ । ସେ ବିଜୟ ପାଇଁ ବିହାରବାସୀ ଓ ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ । ଏଥର ବିହାର ବିଧାନସଭାରେ ଏନଡିଏକୁ ୧୨୫ ଆସନ ମିଳିଛି । ପ୍ରାୟ ଦୁଇଦଶକ ପରେ ଜେଡିୟୁକୁ ପଛରେ ପକାଇ ବିଜେପି ବଡ ଦଳ ହୋଇଛି । ବିଜେପିକୁ ୭୪ ଆସନ ମିଳିଥିବାବେଳେ ଜେଡିୟୁକୁ ୪୩ ଆସନ ମିଳିଛି । ବିଜେପି ମନ୍ତ୍ରିମଣ୍ଡଳରେ ଅଧିକ ଭାଗ ଦାବି କରିପାରେ ।