କ୍ରିକେଟରେ ଜିରୋ ପଲିଟିକ୍ସରେ ହିରୋ । ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ପୂର୍ବରୁ ଖେଳିଛନ୍ତି ଆଇପିଏଲ 

1,482

କନକ ବ୍ୟୁରୋ : କ୍ରିକେଟରୁ ଆରମ୍ଭ କରିଥିଲେ ନିଜ କ୍ୟାରିୟର । ହେଲେ ସଫଳ ହୋଇନଥିଲା ଏହି ଯାତ୍ରା । ଶେଷରେ ଏହି ରାସ୍ତା ଛାଡି ଚାଲିଆସିଥିଲେ ପଲିଟିକ୍ସକୁ । ସେ ହେଉଛନ୍ତି ବିହାର ପଲିଟିକ୍ସର ଚର୍ଚ୍ଚିତ ଚେହେରା ତେଜସ୍ୱୀ ଯାଦବ । ଆଜି ତେଜସ୍ୱୀଙ୍କ ଜନ୍ମଦିନ । ତାଙ୍କୁ ଆଜି ୩୧ ବର୍ଷ ହୋଇଛି । ମାତ୍ର ୩୧ ବର୍ଷ ବୟସରେ ଏବେ ସେ ବିହାର ନିର୍ବାଚନରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ଏହାସହ ଚଳିତ ନିର୍ବାଚନରେ ସେ ଆରଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ହୋଇଛନ୍ତି ।

କେବଳ ପଲିଟିକ୍ସ ନୁହେଁ ତେଜସ୍ୱୀ କ୍ରିକେଟରେ ମଧ୍ୟ ନିଜ ଛାପ ଛାଡିଛନ୍ତି । ତେଜସ୍ୱୀ ଯାଦବ ହେଉଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ । ସେ ନିଜ ସ୍କୁଲ ଶିକ୍ଷା ଦିଲ୍ଲୀ ପବ୍ଲିକ ସ୍କୁଲରୁ ଆରମ୍ଭ କରିଥିଲେ । ସ୍କୁଲ ପଢିଲା ବେଳୁ ସେ କ୍ରିକେଟରେ ନିଜ ଦକ୍ଷତା ଦେଖାଇଥିଲେ । ଏହାପରେ ସେ ଦିଲ୍ଲୀ ପକ୍ଷରୁ ୧୫ ବର୍ଷରୁ କମ କ୍ରିକେଟ ଟିମରେ ଯୋଗ ଦେଇଥିଲେ । ଯେଉଁ ଟିମରେ ବିରାଟ କୋହଲି ଓ ଇଶାନ୍ତ ଶର୍ମାଙ୍କ ଭଳି ଖେଳାଳି ରହିଥିଲେ । ପରେ ସେ କ୍ରିକେଟ ଯୋଗୁଁ ଦଶମ ଶ୍ରେଣୀରୁ ନିଜ ପାଠ ପଢା ଛାଡିଥିଲେ । ଏହାସହ ସେ ଦିଲ୍ଲୀ ପାଇଁ ୧୭ ବର୍ଷରୁ କମ ଓ ୧୯ ବର୍ଷରୁ କମ କ୍ରିକେଟ ମଧ୍ୟ ଖେଳିଛନ୍ତି । ଏତିକିରେ ସରିନଥିଲା ତାଙ୍କ କ୍ୟାରିୟର । ସେ ୨୦୦୮ରେ ୧୯ ବର୍ଷରୁ କମ କ୍ରିକେଟ ଟିମରେ ଭାରତୀୟ ଦଳରେ ଷ୍ଟାଣ୍ଡ ବାଇ ଖେଳାଳି ଭାବେ ସ୍ଥାନ ପାଇଥିଲେ ।

ସବୁଠାରୁ ଗୁରୁତ୍ୱପୂଣ୍ଣ କଥା ହେଉଛି ତେଜସ୍ୱୀ ଆଇପିଏଲ ମଧ୍ୟ ଖେଳିଛନ୍ତି । ୨୦୦୮ରେ ସେ ଦିଲ୍ଲୀ ଡେୟାରଡେଭିଲ୍ସ ଟିମରେ ସ୍ଥାନ ପାଇଥିଲେ । ୨୦୦୮ରୁ ୧୨ ଯାଏଁ ସେ ଦଳରେ ରିଜର୍ଭ ଖେଳାଳି ଭାବେ ରହିଥିଲେ । ଏହାସହ ସେ ୨୦୧୧ରେ ଝାଡଖଣ୍ଡ କ୍ରିକେଟ ଟିମ ପକ୍ଷରୁ ଖେଳ ଆରମ୍ଭ କରିଥିଲେ । ସୟଦ ମୁସ୍ତାକ ଅଲ୍ଲୀ ଓ ବିଜୟ ହଜାରେ ଟ୍ରଫି ମଧ୍ୟ ସେ ଖେଳିଛନ୍ତି । ହେଲେ କ୍ରିକେଟରେ ସେ ଲମ୍ବା କ୍ୟାରିୟର କରିପାରିନଥିଲେ । ତେଣୁ ଚାଲି ଆସିଥିଲେ ପଲିଟିକ୍ସକୁ ।

୨୦୧୫ ବିହାର ସାଧାରଣ ନିର୍ବାଚନରେ ରାଘୋପୁରରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ତେଜସ୍ୱୀ । ଏହି ମହାଗଠବନ୍ଧନ ସରକାରରେ ତେଜସ୍ୱୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତି ଦିଆଯାଇଥିଲେ । ଏହାପରେ ୨୦୧୭ରେ ଅର୍ଥ ହେରଫେର ମାମଲାରେ ତେଜସ୍ୱୀଙ୍କ ନାଁରେ ଅଭିଯୋଗ ଆସିବାରେ ତାଙ୍କୁ ନୀତିଶ ସରକାରରୁ ବହିଷ୍କାର କରାଯାଇଥିଲା ।

ବର୍ତ୍ତମାନ ୨୦୨୦ ନିର୍ବାଚନରେ ସେହି ନୀତିଶଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ତେଜସ୍ୱୀ । ଏହି ନିର୍ବାଚନରେ ସବୁଠାରୁ ଚର୍ଚ୍ଚିତ ଓ ଯୁବ ନେତୃତ୍ୱ ଭାବେ ଆଗକୁ ଆସିଛନ୍ତି ତେଜସ୍ୱୀ ଯାଦବ ।