ରିୟାନ ସ୍କୁଲ ଛାତ୍ର ହତ୍ୟା ମାମଲା ! ଜାମିନ ପାଇଲେ ବସ କଣ୍ଡକ୍ଟର । ବାହାରିବେ ସ୍କୁଲ ମାଲିକ
କନକ ବ୍ୟୁରୋ : ହରିଆଣାର ଗୁଡ଼ଗାଓଁ ସ୍ଥିତ ରିୟାନ ଇଣ୍ଟରନ୍ୟାସନାଲ ସ୍କୁଲରେ ୭ ବର୍ଷୀୟ ଛାତ୍ର ପ୍ରଦ୍ୟୁମ୍ନ ଠାକୁର ହତ୍ୟା ମାମଲାରେ ପ୍ରଥମେ ଦୋଷୀ ସାବ୍ୟସ୍ତ ହୋଇଥିବା ସ୍କୁଲର ବସ କଣ୍ଡକ୍ଟର ଅଶୋକ କୁମାରଙ୍କୁ ଆଜି ଜାମିନ ମିଳିଛି। ଏକ ସ୍ଥାନୀୟ ସ୍ୱତନ୍ତ୍ର ଅଦାଲତ ଆଜି ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଅଶୋକଙ୍କୁ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅପରପକ୍ଷରେ, ରିୟାନ ଇଣ୍ଟରନ୍ୟାସନାଲ ସ୍କୁଲର ୩ ଜଣ ମାଲିକ ତଥା ପ୍ରତିଷ୍ଠାତା ଅଗଷ୍ଟାଇନ୍ ଫ୍ରାଙ୍କିସ ପିଣ୍ଟୋ, ଏମଡି ଗ୍ରେସ ପିଣ୍ଟୋ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରିୟାନ ପିଣ୍ଟୋଙ୍କ ଆଗୁଆ ଜାମିନ ଆବେଦନ ଉପରେ ଆଜି ସିବିଆଇ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟରେ ଏକ ବନ୍ଦ ଲଫାପାରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ୮ରେ ରିୟାନ ସ୍କୁଲର ଦ୍ୱିତୀୟ ଶ୍ରେଣୀ ଛାତ୍ର ପ୍ରଦ୍ୟୁମ୍ନକୁ ଶୌଚାଳୟ ଭିତରେ ଗଳା କାଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ପ୍ରଥମେ ବସ କଣ୍ଡକ୍ଟର ଅଶୋକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। କିନ୍ତୁ ପରେ ସିବିଆଇ ତଦନ୍ତଭାର ନେବାପରେ ହତ୍ୟାକାଣ୍ଡରେ ସ୍କୁଲର ଜଣେ ଏକାଦଶ ଶ୍ରେଣୀ ଛାତ୍ରର ସମ୍ପୃକ୍ତି ଥିବା କହି ମାମଲାକୁ ଭିନ୍ନ ମୋଡ଼ ଦେଇଛି। ସେହିପରି ଗିରଫଦାରିକୁ ଏଡ଼ାଇବା ପାଇଁ ରିୟାନ ସ୍କୁଲର ୩ ଜଣ ମାଲିକ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ସେମାନଙ୍କ ଜାମିନ ଆବେଦନକୁ ରଦ୍ଦ କରିବା ପାଇଁ ପ୍ରଦ୍ୟୁମ୍ନର ବାପା ବରୁଣ ଠାକୁର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାପରେ ସୁପ୍ରିମକୋର୍ଟ ଏହି ଘଟଣାରେ ସିବିଆଇର ମତାମତ ଲୋଡ଼ି ସିବିଆଇକୁ ନୋଟିସ ଜାରି କରିଥିଲେ।