ରାଜସ୍ଥାନ ଟିମକୁ ଶେଷ କରିଦେବେ ରିଆନ ! ମ୍ୟାଚ୍ ହାରିବା ପରେ ଟ୍ରୋଲ ହେଲେ ପରାଗ ।

391

କନକ ବ୍ୟୁରୋ : ସମୟ ଗଡିବା ସହ ଆଇପିଏଲର ପ୍ରତ୍ୟେକ ମ୍ୟାଚ୍ ଏବେ ରୋମାଞ୍ଚପୂର୍ଣ୍ଣ ହେବାରେ ଲାଗିଛି । ଅଧିକାଂଶ ମ୍ୟାଚର ଫଳାଫଳକୁ ନେଇ ଶେଷ ଓଭର ପର୍ଯ୍ୟନ୍ତ ସସପେନ୍ସ ରହୁଛି । ଏପରିକି କିଛି ମ୍ୟାଚର ଫଳାଫଳ ତ ଶେଷ ବଲରେ ସାମ୍ନାକୁ ଆସୁଛି । ୧୯ ଏପ୍ରିଲରେ ଲକ୍ଷ୍ନୌ ଓ ରାଜସ୍ଥାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଛି । ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚର ଫଳାଫଳ କାହା ସପକ୍ଷରେ ଯିବ ତାହାର ଆକଳନ କରିବା କଷ୍ଟକର ହୋଇ ପଡିଥିଲା । ତେବେ ଏହି ରୋମାଞ୍ଚକର ମୁକାବିଲାକୁ ଶେଷରେ ୧୦ ରନରେ ବାଜି ମାରି ନେଇଥିଲା ରାହୁଲଙ୍କ ଟିମ୍ । କହିବାକୁ ଗଲେ ରାଜସ୍ଥାନ ହାତରୁ ନିଶ୍ଚିତ ବିଜୟ ଛଡାଇ ଆଣିଥିଲା ଲକ୍ଷ୍ନୌ । କିନ୍ତୁ ଏହି ବିଜୟରେ ଲକ୍ଷ୍ନୌର ବୋଲରଙ୍କ ଯେତିକି ଅବଦାନ ରହିଛି, ରାଜସ୍ଥାନ ବ୍ୟାଟରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ସମ ପରିମାଣରେ ଦାୟୀ । ଯାହାକୁ ନେଇ ରାଜସ୍ଥାନର ବ୍ୟାଟର ରିଆନ ପରାଗ ଏବେ ସୋସିଆଲ ମିଡ଼ିଆରେ ଟ୍ରୋଲର ଶିକାର ହୋଇଛନ୍ତି । ରିଆନଙ୍କ ଧୀମା ଇନିଂସ ରାଜସ୍ଥାନକୁ କେବଳ ପରାଜିତ କରିନଥିଲା ବରଂ ଲକ୍ଷ୍ନୌକୁ ଅପ୍ରତ୍ୟାଶିତ ବିଜୟ ଭେଟି ଦେଇଥିଲା ।

ଲକ୍ଷ୍ନୌ ବିପକ୍ଷରେ ଟସ୍ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ସଠିକ୍ ପ୍ରମାଣିତ କରିଥିଲେ ରାଜସ୍ଥାନ ବୋଲର । ରାଜସ୍ଥାନର ମାପଚୁପ୍ ବୋଲିଂ ଆଗରେ ରାହୁଲଙ୍କ ଟିମ୍ ନିର୍ଦ୍ଧାରିତ ଓଭରରେ ମାତ୍ର ୧୫୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ୧୫୫ ରନର ଟାର୍ଗେଟ ରାଜସ୍ଥାନ ପାଇଁ ବେଶ ସହଜ ମନେ ହେଉଥିଲା । ରାଜସ୍ଥାନ ମଧ୍ୟ ପ୍ରଥମରୁ ବେଶ ସର୍ତକତାର ବ୍ୟାଟିଂ କରି ବିଜୟ ପାଇଁ ମୂଳଦୁଆ ପକାଇଥିଲେ । ଓପନିଂ ଯୋଡି ମଧ୍ୟରେ ୮୭ ରନର ପାର୍ଟନରସିପ ରାଜସ୍ଥାନର ବିଜୟ ପାଇଁ ବାଟ ଖୋଲିଥିଲା । କିନ୍ତୁ ପ୍ରଥମ ୱିକେଟର ପତନ ପରେ ରାଜସ୍ଥାନ ବିଜୟ ପାଇଁ ଯେପରି ସଂଘର୍ଷ କରିବା ଆରମ୍ଭ କରିଥିଲା । ୮୭ ରନରେ ଗୋଟିଏ ୱିକେଟ ହରାଇଥିବା ରାଜସ୍ଥାନ ୧୦୪ ରନରେ ୪ ୱିକେଟ ହରାଇଥିଲା । ତଥାପି ରାଜସ୍ଥାନର ବିଜୟ ସମ୍ଭାବନା ଅଧିକ ଥିଲା କାରଣ କ୍ରିଜରେ ଥିଲେ ରିଆନ ପରାଗ ଓ ଦେବୀଦତ୍ତ ପାଡିକଲ । ମାତ୍ର ୫ ଓଭରରେ ୫୧ ରନର ଆବଶ୍ୟକତା ଥିଲା । କିନ୍ତୁ ଉଭୟ ପରାଗ ଓ ପାଡିକଲଙ୍କ ଧୀମା ଇନିଂସ ରାଜସ୍ଥାନର ବିଜୟ ଆଶାକୁ ମଉଳାଇ ଦେଇଥିଲା । ପାଡିକଲ ୨୧ ବଲରେ ୨୬ ଓ ପରାଗ ୧୨ ବଲରେ ୧୫ ରନ୍ କରିଥିଲେ ମଧ୍ୟ ଦଳକୁ ବିଜୟୀ କରି ପାରିନଥିଲେ । ଶେଷ ଓଭରରେ ୧୯ ରନ୍ ଆବଶ୍ୟକତା ଥିବା ବେଳେ ଅଭେଶ ଖାନ୍ ଦମଦାର ବୋଲିଂ ସହ ୮ ରନ୍ ଦେଇ ୨ଟି ୱିକେଟ ହାତେଇଥିଲେ । ଯାହାଫଳରେ ରାଜସ୍ଥାନ ବିଜୟ ଠାରୁ ୧୦ ରନ୍ ଦୂରରେ ରହି ଯାଇଥିଲା ।

ଏହି ଧୀମା ଇନିଂସ ପାଇଁ ଏବେ ପରାଗଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲର ଶିକାର ହେବାକୁ ପଡିଛି । ଚଳିତ ସିଜିନରେ ୫ଟି ମ୍ୟାଚରୁ ମାତ୍ର ୫୪ ରନ କରିଥିବା ପରାଗଙ୍କୁ ନେଇ ୟୁଜର୍ସ କହିଛନ୍ତି, ରିଆନ ଭଲ ଫିନିସର । ଦେଖିବେ କେଉଁ ଦିନ ରାଜସ୍ଥାନ ଟିମକୁ ମଧ୍ୟ ସେ ଶେଷ କରିଦେବେ । ସେହିଭଳି କିଛି ୟୁଜର୍ସ କହିଛନ୍ତି ଲକ୍ଷ୍ନୌ ବିପକ୍ଷରେ ୧୫ ରନ୍ କରିଛନ୍ତି ମାନେ ଆଗାମୀ ମ୍ୟାଚରେ ରିଆନ ଖେଳିବା ପକ୍କା ।