ଜୀବନ ଦାୟିନୀ ଯମୁନା ନଦୀରେ ବିଷାକ୍ତ ଫେଣ । ବାଧ୍ୟରେ ସ୍ନାନ କଲେ ଛଟ୍ ବ୍ରତଧାରୀ

176

କନକ ବ୍ୟୁରୋ: ବିଷାକ୍ତ ହୋଇଛି ଦିଲ୍ଲୀର ପାଣି, ପବନ ସବୁକିଛି । ଆଉ ଏହି ବିଷ ପାନ କରୁଛନ୍ତି ଏଠାରେ ରହୁଥିବା ଲୋକେ । ଆଜି ଛଟ୍ ପୂଜା ଅବସରରେ ଯମୁନା ନଦୀର ଏପରି କିଛି ଦୃଶ୍ୟ ଭାରତରେ ବିଶେଷ କରି ଦିଲ୍ଲୀରେ ଜଳ ପ୍ରଦୂଷଣକୁ ସ୍ପଷ୍ଟ କରୁଛି । ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଟ୍ୱିଟ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି ।

ଆପଣ ଦେଖୁଥିବା ଏହି ଦୃଶ୍ୟ ଯମୁନା ନଦୀରେ ବରଫ ପଡିଥିବାର ଭ୍ରମ ସୃଷ୍ଟି କରୁଛି ।ହେଲେ ଏହା ପ୍ରକୃତରେ ବିଷାକ୍ତ ଆମୋନିଆ ଟକ୍ସିକ୍ ଫେଣ । ଯାହା ଉକ୍ରଟ ଚର୍ମ ରୋଗ ସହ ଅନ୍ୟାନ୍ୟ ଗଭୀର ସମସ୍ୟା ସୃଷ୍ଟି କରିବ । ହେଲେ ଛଟ୍ ପୂଜା ଥିବାରୁ ଏଥିରେ ଗାଧୋଇବାକୁ ବାଧ୍ୟ ହୋଇଛନ୍ତି ଶ୍ରଦ୍ଧାଳୁ । ତେବେ ଯମୁନା ନଦୀର ଏପରି ଅବସ୍ଥା ଆଜିକାର ନୁହେଁ । ଅନେକ ଦିନରୁ ଏହି ସମସ୍ୟା ଦେଖାଦେଇଛି । କିଛି ଦିନ ଅନ୍ତରରେ ଯମୁନାରେ ଏପରି ଫେଣ ଆସି ସମ୍ପୂର୍ଣ୍ଣ ନଦୀକୁ ଆଚ୍ଛାଦିତ କରିଦେଉଥିବାର ନଜିର ରହିଛି । ଏହାକୁ ନେଇ ରାଜନୈତିକ ଦଳ ମଧ୍ୟରେ ପ୍ରଶ୍ନ ମଧ୍ୟ ଉଠିଛି । ହେଲେ ଏହାର ନିରାକରଣ ପାଇଁ କେହି କଠୋର ପଦକ୍ଷେପ ଉଠାଇନଥିବା ମନେହୁଏ ।

କୁହାଯାଉଛି ଯମୁନା ନଦୀର ପାଖାପାଖି ଇଲାକାରେ ରହିଛି ଡିଟରଜେଣ୍ଟ ପ୍ରସ୍ତୁତ କରୁଥିବା କାରଖାନା । ଏହାର ବର୍ଜ୍ୟ ପାଣି ନାଳ ଗୁଡିକ ମାଧ୍ୟମରେ ସିଧାସଳଖ ଆସି ଯମୁନା ନଦୀରେ ପଡୁଛି । ଏହି ବିଷାକ୍ତ ପାଣି ପିଇଲେ ରୋଗ ହେବା ନିଶ୍ଚିତ । ହେଲେ ଏହି ବିଷାକ୍ତ ପାଣି ଯାଉଛି ଦିଲ୍ଲୀର ପ୍ରତିଟି ଘରକୁ । ସେଥିରୁ ଅନୁମେୟ ଦିଲ୍ଲୀରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କିପରି ବିପଦ ଘନଉଛି । ତେବେ ଯେଉଁ ସମୟରେ ନଦୀରେ ପ୍ରବଳ ଫେଣ ଆସୁଛି ସେହି ସମୟରେ ନଦୀରେ ନଗାଧୋଇବାକୁ ଲୋକଙ୍କୁ ସଚେତନ କରାଯାଉଥିଲେ ବି ଛଟ୍ ପୂଜା ଯୋଗୁଁ ଏଠାକୁ ବାଧ୍ୟ ହେଉଛନ୍ତି ଲୋକେ । ଏହି ଦିନ ନଦୀରେ ସ୍ୱାନ କରି ସୂର୍ଯ୍ୟଙ୍କୁ ଉପାସନା କରିବାର ଆସ୍ଥା ଓ ବିଶ୍ୱାସ ରହିଥିବାରୁ ଯମୁନାର ଏହି ବିଷାକ୍ତ ଜଳରେ ବୁଡ ପକାଇବାକୁ ବାଧ୍ୟ ହୋଇଛନ୍ତି ଶ୍ରଦ୍ଧାଳୁ ।

ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି ସାଂସଦ ମନୋଜ ତିୱାରୀ । ଯୁମନା ନଦୀର ଏପରି ସ୍ଥିତି ବାସ୍ତବରେ ଉଦବେଗଜନକ । ଏହି ସତ ଲୁଚାଇବାକୁ ନଦୀକୁ ନଯିବାକୁ ଶ୍ରଦ୍ଧାଳୁଙ୍କୁ ମନା କରୁଥିଲେ ମୁଖ୍ୟମନ୍ତ୍ରୀ ଆରବିନ୍ଦ କେଜ୍ରିୱାଲ । ହେଲେ ସତ କ’ଣ ସମସ୍ତଙ୍କୁ ଜଣା । ବାୟୁ ପ୍ରଦୂଷଣ ମଧ୍ୟ ବିପଦ ସ୍ତରକୁ ଟପିଗଲାଣି । ହେଲେ ଏହାକୁ ରୋକିବାକୁ ମୁଖ୍ୟମନ୍ତ୍ରୀ ଆଦୌ ଆଗ୍ରହୀ ନୁହଁନ୍ତି ବୋଲି ମତ ଦେଇଛନ୍ତି ମନୋଜ ତିୱାରୀ ।