ଭଂଜନଗରରେ ଶୁଖି ଯାଉଛି ନଈ । ବେଆଇନ୍ ବାଲି ଖନନ ଯୋଗୁଁ ବଡନଦୀ ଓ ଲୋହରାଖଣ୍ଡି ନଦୀ ହରାଉଛି ନିଜ ସତ୍ତା

85

କନକ ବ୍ୟୁରୋ : ଧିରେ ଧିରେ ହଜିଯାଉଛି ନଦୀ । ଗଂଜାମ ଜିଲ୍ଲାର ଭଂଜନଗର ଅଂଚଳ ଦେଇ ପ୍ରବାହିତ ବଡ଼ନଦୀ ଓ ଲୋହରାଖଣ୍ଡି ନଦୀ ନିଜର ସତା ହରାଉଛି । ପୂର୍ବରୁ ବର୍ଷ ତମାମ୍ ନଦୀରେ ଜଳସ୍ରୋତ ଲାଗି ରହୁଥିଲା । ଏବେ କିନ୍ତୁ ପାଣି ତ ଦୁରର କଥା ବାଲି ମଧ୍ୟ ଦେଖାଯାଉନାହିଁ । ବାଲି ଚୋରା ଚାଲାଣ ହେତୁ ନଦୀ ଗୁଡ଼ିକ ନାଳ ପାଲଟିଯାଇଥିବା ଅଭିଯୋଗ ହୋଇଛି । ନଦୀଶଯ୍ୟା ସଂକୋଚିତ ହେବାରୁ ବର୍ଷା ଦିନେ ବନ୍ୟା ଆସିଲେ, ନଦୀ ଗତି ବଦଳାଇବାର ଆଶଙ୍କା କରି ଚିନ୍ତାରେ ପଡିଯାଇଛନ୍ତି ନଇକୂଳିଆ ଲୋକ ।

ଲୋହରାଖଣ୍ଡି ନଦୀ କନ୍ଧମାଳର କଳିଙ୍ଗା ଘାଟିରୁ ଉତ୍ପତ୍ତି । ଡ଼ହ ଡ୍ୟାମ କରି ନଦୀକୁ ନିୟନ୍ତ୍ରଣ କରାଯାଇଛି । ଭଂଜନଗର ସହରର ଦେଇ ମାଧବରିଡ଼ା ଆନିକଟ ଠାରେ ବଡ଼ନଦୀରେ ମିଶିଛି ଲୋହରାଖଣ୍ଡି ନଦୀ । ଏହି ନଦୀରେ ୧୦ ପୁଂଟ ଉଚ୍ଚର ବାଲି ରହୁଥିବାରୁ ବାଲିରୁ ପାଣି ଝରି ନଦୀ କେବେ ଶୁଖୁନଥିଲା । ହେଲେ ବାଲି ଚୋରା ଚାଲାଣ ଓ ମାଟି ମାଡି଼ଯିବାରୁ କାଶତଣ୍ଡି ଓ ଅନାବାନା ଗଛରେ ନଦୀଶଯ୍ୟା ପୋତି ହୋଇଯାଉଛି । ବଡ଼ନଦୀର ମଧ୍ୟ ସମାନ ଅବସ୍ଥା ହୋଇଛି । ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିବାରୁ ନଦୀ ଦିଗହରା ହୋଇଛି । ଭଂଜନଗର ସହରକୁ ଚାରିପଟୁ ଘେରି ରହିଛି ବଡ଼ନଦୀ ଓ ଲୋହରାଖଣ୍ଡି ନଦୀ । ନଦୀ ପୋତି ହୋଇଯିବାରୁ ଜଳସେଚନ ବିଭାଗ ପକ୍ଷରୁ ସଫେଇ କରାଯାଉଛି, ହେଲେ ତାକା କେବଳ କାଗଜ କଲମରେ ଚାଲିଥିବା ଭଂଜନଗରବାସୀ ଅଭିଯୋଗ କରିଛନ୍ତି ।