ଗତିପଥ ବଦଳାଉଛି ନଦୀ ! ଗାଁ ମୁହାଁ ନଦୀକୁ ଦେଖି ଆତଙ୍କିତ ଗ୍ରାମବାସୀ

77

କନକ ବ୍ୟୁରୋ : ଗତିପଥ ବଦଳାଉଛି ନଦୀ । ଗାଁ ମୁହାଁ ନଦୀକୁ ଦେଖି ଆତଙ୍କିତ ଗ୍ରାମବାସୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ମଙ୍ଗଳପୁର ଏବଂ ବରକନ୍ଧା ପଂଚାୟତର ନଦୀ କୁଳିଆ ଗାଁଗୁଡିକ ପାଇଁ ଦେଖାଦେଇଛି ବିପଦ । ଏହି ଦୁଇ ପଂଚାୟତର ଜୀବନ ରେଖା ପାଲଟିଥିବା ଲୁଣା ନଦୀ ତାର ଗତିପଥ ବଦଳାଇ କୂଳଖାଉଛି ।

ମଙ୍ଗଳପୁର ପଂଚାୟତର ମଙ୍ଗଳପୁର, ବଉଳପଡା, ଦଧିପୁର , କୁମାରପଡା, ବନ୍ଧପଡା ଓ ବରକନ୍ଧା ପଂଚାୟତର ଗୋଜାବନ୍ଧ, ସାଠିଏବାଟି , ଗୋଖାଖଟି, ମଦରଙ୍ଗାଡିଆ ଗାଁର ଚାଷଜମି ଓ ଘରଦ୍ୱାର ଏବେ ନଦୀ ଗର୍ଭରେ ହଜିବାକୁ ବସିଛି । ନଦୀର ପାର୍ଶ୍ୱରେ ନିର୍ମାଣ ହୋଇଥିବା ସୁରକ୍ଷା ବନ୍ଧ ନଷ୍ଟ ହେଉଥିବା ନେଇ ସ୍ଥାନୀୟ ବାସିନ୍ଦାମାନେ ବାରମ୍ବାର ତଟବନ୍ଧ ବିଭାଗର ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।

ନଦୀ କୂଳ ଲଘିଂବା ପ୍ରସଙ୍ଗରେ ମହାକାଳପଡା ତଟବନ୍ଧ ଉପଖଣ୍ଡର ବିଭାଗୀୟ ଅଧିକାରୀ କ୍ୟାମେରା ସାମ୍ନାରେ କିଛି ମତ ରଖିବାକୁ ମନା କରିଛନ୍ତି । କ୍ୟାମେର ପଛରେ ସେ ମତ ରଖି କହିଛନ୍ତି, ସମସ୍ୟା ବିଷୟରେ ଅବଗତ ଅଛନ୍ତି । ଲୁଣା ନଦୀର ସ୍ଥାୟୀ ସୁରକ୍ଷା ବନ୍ଧ ନିର୍ମାଣ ପାଇଁ ୧୪ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଜାରି ରହିଛି । ସରକାରୀ ସ୍ତରରେ ଏହା ଚୁଡାନ୍ତ ନିଷ୍ପତ୍ତି ଆସିବା ପରେ ନଦୀ କୂଳ ଖାଉଥିବା ଅଂଚଳ ଚିହ୍ନଟ କରାଯାଇ ନିର୍ମାଣ କାର୍ଯ୍ୟ କରାଯିବ ।