କନକ ବ୍ୟୁରୋ : ମରୂଭୂମିର ଭ୍ରମ ସୃଷ୍ଟି କରିଛିି ଓଡ଼ିଶା ପଟକୁ ଥିବା ଇବ ନଦୀ । ସେପଟେ ନୀଳଜଳ ରାଶିରେ ପରିପୂର୍ଣ୍ଣ ପାଣି, ଆଉ ମଝିରେ ଥିବା ବନ୍ଧ ହେଉଛି ଛତିଶଗଡ ସମଡମା ଅଂଚଳର ଇବନଦୀ । ଇବନଦୀ ଉପରମୁଣ୍ଡ ଛତିଶଗଡର ଗୁଲ୍ଲୁଠାରେ ହାଇଡ୍ରୋପାୱାର ପ୍ରୋଜେକ୍ଟ, ବେନେଠାରେ ଜଳସେଚନ ପ୍ରକଳ୍ପ, ଏବଂ ସୁନ୍ଦରଗଡ ସୀମାବର୍ତୀ ସମଡମା ଠାରେ ଆନିକଟ କରି ଇବନଦୀର ସଂପୂର୍ଣ୍ଣ ପାଣିକୁ ଅଟକାଇ ଦେଇଛି ଛତିଶଗଡ । ଏହାର ସିଧା ପ୍ରଭାବ ପଡିଛି ଓଡିଶାର ଦୁଇ ପ୍ରମୁଖ ଜିଲ୍ଲା ସୁନ୍ଦରଗଡ ଏବଂ ଝାରସୁଗୁଡା ସହିତ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଉପରେ ।

Advertisment

ସ୍ଥିତି କିଛି ଏଭଳି ହୋଇଛି ଯେ ଚାଷ କଥା ଛାଡନ୍ତୁ ପିଇବା ପାଇଁ ପାଣି ଟୋପାଏ ମିଳିବା ମୁସ୍କିଲ ହୋଇଯିବ । ଦେଖନ୍ତୁ କଣ କହୁଛନ୍ତି ଛତିଶଗଡର ଗ୍ରାମବାସୀ । ଇବନଦୀର ପାଣିକୁ ନେଇ ସେମାନେ କିଭଳି ଚାଷ, ବାସ ସହ ତାର ମଜା ନେଉଛନ୍ତି । ଆଉ ଡ୍ୟାମ ହେବା ପରଠାରୁ ବର୍ଷ ତମାମ ଏଠାରେ ପ୍ରଚୁର ପାଣି ରହୁଥିବା କହିଛନ୍ତି ।

ଏପଟେ ନଜର ପକାନ୍ତୁ ସୁନ୍ଦରଗଡଠାରେ ଇବନଦୀ ଉପରେ । ଯୁଆଡ଼େ ଦେଖିବ, ଖାଲି ବାଲି ଆଉ ବାଲି । ଫେବୃୟାରୀ ନସରୁଣୁ ମରୁଭୂମିର ଭ୍ରମ ସୃଷ୍ଟି କଲାଣି ଇବନଦୀ । ଇବନଦୀରେ ପାଣି ଦେଖିବା ଯେପରି ଏବେ ସ୍ୱପ୍ନ ହୋଇଗଲାଣି । ପାଣି ପାଇଁ ଡହଳ ବିକଳ ହୋଇଗଲେଣି ଲୋକ । ଆଗକୁ ଖରାଦିନ ଆସୁଥିବାରୁ ସ୍ଥିତି କ’ଣ ହେବ, ତାହା ଅନୁମାନ କଲେଣି ସ୍ଥାନୀୟ ଲୋକେ ।

ଗୁଲ୍ଲୁଠାରେ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ଏବଂ ସମଡମାଠାରେ ଆନିକଟ ନିର୍ମାଣ ପୂର୍ବରୁ ଏହି ଆଶଙ୍କା କରି କନକ ନ୍ୟୁଜ ବାରମ୍ବାର ଖବର ପ୍ରସାରଣ କରିଥିଲା । ଏବେ ଜଳସଂପଦ ବିଭାଗ କହୁଛି ପାଖରେ ଇବନଦୀ ଉପରେ ଛତିଶଗଡ ଡ୍ୟାମ୍ କି ଆନିକଟ କରୁଥିବା ନେଇ କୌଣସି ଖବର ନାହିଁ । ନଦୀରେ ପାଣି ନଥିବା ଖବରକୁ ଅସ୍ୱୀକାର କରିବା ସହ ଆଗକୁ ସୁନ୍ଦରଗଡ଼ ଇବନଦୀର କୋପସିଙ୍ଘା ଓ କୁଡାବଗା ଠାରେ ସରକାର ଦୁଇଟି ବ୍ୟାରେଜ କାମ ଆରମ୍ଭ କରିଛନ୍ତି । କାର୍ଯ୍ୟ ଶେଷ ହେବା ପରେ ପାଣି ସସମ୍ୟା ଦୂର ହେବ ବୋଲି ବିଭାଗ କହିଛି ।

ବର୍ଷା ଦିନରେ ଇବନଦୀକୁ ଯାହା ପାଣି ଆସିଥାଏ, ତାହା ଉପରେ ସୁନ୍ଦରଗଡ ଜିଲ୍ଲା ସମେତ ୫ ପ୍ରମୁଖ ବ୍ଲକ ନିର୍ଭର କରିଥାନ୍ତି । ହେଲେ ଏବେ ଏହି ପାଣିକୁ ଅଟକାଇବା ଯୋଗୁଁ ସବୁକିଛି ଠପ୍ ହୋଇଯାଇଛି । ଆଉ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଆକଳନ କରାଯାଉଛି ।