କନକ ବ୍ୟୁରୋ : ନଇକୂଳିଆ ଚାଷୀଙ୍କ ନିଦ ହଜେଇ ଦେଇଛି ନଦୀ । ଯେଉଁ ନଦୀ ଦିନେ ଜୀବନ ଜୀବିକା ପାଲଟିଥିଲା, ସେଇ ନଦୀ ଏବେ ଲୋକଙ୍କ ଜୀବିକା ଛଡେଇ ନେଉଛି । କେନ୍ଦ୍ରାପଡା ମହାକାଳପଡା ବ୍ଲକ ଦଶରାଜପୁରଡିଆର ଅଂଚଳରେ ନଦୀ କୂଳ ଲଂଘୁଛି । ନଦୀ ଜନବସତି ଆଡକୁ ମାଡି ଆସୁଥିବା ବେଳେ ଚାଷ ଜମିକୁ ନଦୀ ଗର୍ଭକୁ ନେଇ ଯାଉଛି ।
ଜୁଆର ମାଡରେ କୂଳ ଖାଇ ଯାଉଛି । ବଡ଼ ବଡ଼ ମାଟି ଅତଡ଼ା ଧସି ଯାଉଛି । ଆଗକୁ ଆଗକୁ ମାଡି ଆସୁଛି ଲୁଣା ନଦୀ । ଆଉ ସେହି ନଦୀ ଗର୍ଭରେ ଲୀନ ହେଲାଣି ଶହଶହ ହେକ୍ଟର ଜମି । ଲୁଣା ନଦୀର କରାଳ ରୂପ ଦେଖି ଛାନିଆ ମହାକାଳପଡା ବ୍ଲକ ଦଶରାଜପୁରଡିଆର ଚାଷୀ । ଚାଷ ଜମିକୁ ତ ନଦୀ ଗିଳି ସାରିଲାଣି, କାଳେ କେତେବେଳେ ଭିଟାମାଟିକୁ ବି ନିଜ କୋଳକୁ ନେଇ ଯିବ ସେଇ ଚିନ୍ତାରେ ପଡିଛନ୍ତି ନଇକୂଳିଆ ଲୋକେ ।
ବରକନ୍ଧା ପଂଚାୟତ ଦଶରାଜପୁରଡିଆ ଗାଁ ନିକଟ ଦେଇ ବହି ଯାଇଥିବା ଲୁଣା ନଦୀ ଚଉ ମୁହାଣି ନିକଟରେ କୂଳ ଲଂଘନ କରୁଛି । ନଦୀ-ସମୁଦ୍ର ମିଳନ ସ୍ଥଳୀରେ ଉଚ୍ଚ ଜୁଆର ଯୋଗୁଁ ବଡ ବଡ ଅତଡା ଖସି ଯିବାରୁ ପ୍ରାୟ ୧ କିଲୋମିଟର ବ୍ୟାପି ପଠାରେ ଥିବା ଜମି ନଦୀରେ ମିଶି ଯାଉଛି । ଫଳରେ ନଦୀ ପଠାରେ ନଳିତା, ବାଦାମ ଏବଂ ବିଭିନ୍ନ ପ୍ରକାରର ପନିପରିବା ଚାଷ ପରିବାର ପୋଷୁଥିବା ଚାଷୀ ଏବେ ଚିନ୍ତାରେ ପଡିଯାଇଛନ୍ତି ।
ମହାକାଳଡା ବ୍ଲକର ଏକାଧିକ ଗାଁର ଚାଷ ଜମି ସମେତ ପଡୋଶୀ ଜଗତସିଂହପୁର ଜିଲ୍ଲାର ଚକ୍ରଧରପୁର ଗାଁର ଶତାଧିକ ଚାଷୀଙ୍କ ଜମି ଏବେ ଲୁଣା ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି । ନଦୀ ତାର ଗତିପଥ ବଦଳାଇ ଜନବସତି ମୁହାଁ ହୋଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁନଥିବା ଅଭିଯୋଗ ହୋଇଛି ।