ଦୟା ନଦୀ କୂଳରେ ରହୁଥିବା ଲୋକଙ୍କ ପାଇଁ ସତର୍କ ଘଂଟି : ସରକାର କହିଲେ ଆଉ ବ୍ୟବହାର ଉପଯୋଗୀ ନୁହେଁ ପାଣି

54

କନକ ବ୍ୟୁରୋ : ଦୟା ନଦୀ ପାଣି ବିଷାକ୍ତ । ଭୁବନେଶ୍ୱର ଉପକଣ୍ଠ ଦୟା ନଦୀକୁ ଦୂଷିତ ଘୋଷଣା କରିଛନ୍ତି ସରକାର । ଦୟା ନଦୀର ପାଣି ବ୍ୟବହାର ଉପଯୋଗୀ ନୁହେଁ ଏପରିକି ଚାଷ ପାଇଁ ବି ବ୍ୟବହାର କରାଯାଇପାରିବ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି । । ମୁକାବିଲା ପାଇଁ ଗଙ୍ଗୁଆ ଓ ୬ଟି ସ୍ଥାନରେ ଟ୍ରିଟମେଂଟ ପ୍ଲାଂଟ କରାଯିବାକୁ ନିଷ୍ପତି ନିଆଯାଇଛି । ଏଥିପାଇଁ ୨ ବର୍ଷ ସମୟ ଲାଗିବ । ତେବେ ଆଗାମୀ ଦୁଇ ବର୍ଷ ଯାଏଁ ଏହି ପାଣି ବ୍ୟବହାର ଉପରେ କଣ ଚିନ୍ତା କରିଛନ୍ତି ସରକାର, ସେନେଇ ସ୍ପଷ୍ଟ କରିନାହାଁନ୍ତି ।

ଭୁବନେଶ୍ୱରରୁ ପିପିଲି ଦେଇ ଚିଲିକାରେ ମିଶିଥିବା ଦୟା ନଦୀର ଏହି ପାଣି ବିଷାକ୍ତ । ଦୀର୍ଘ ୩୭ କିଲୋମିଟରର ନଦୀ ପାଣି ବ୍ୟବହାର ପାଇଁ ଉପଯୋଗୀ ନୁହଁ । ଆଉ ଆପଣ ଯଦି ଦୟା ନଦୀର ପାଣି ପିଉଛନ୍ତି ତେବେ ଗୁରୁତର ରୋଗର ଶୀକାର ହେବା ସମ୍ଭାବନା ଅଧିକ । ପିଇବା ତ ଦୂରର କଥା, ଚାଷ ପାଇଁ ବି ବ୍ୟବହାର କରିହେବନି ଏହି ନଦୀର ପାଣି । ଦୟା ନଦୀର ପାଣି ଯାଂଚ କରିବା ପରେ ଏହାକୁ ବିଷାକ୍ତ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

କୁଆଖାଇ ନଦୀର ଶାଖା ହେଉଛି ଦୟାନଦୀ । ଭୁବନେଶ୍ୱରରୁ ପିପିଲିର କାକୁଡିଆ ଓ ସତ୍ୟବାଦୀ ଦେଇ ଏହା ପ୍ରବାହିତ ହେଉଛି । ସେଠାରୁ ଭାର୍ଗବୀ, ଲୁଣା ଓ ରତ୍ନଚିରା ସହ ମିଶି ଚିଲିକାରେ ପଡିଛି । ତେବେ ରାଜଧାନୀରୁ ହିଁ ଦୂଷିତ ହେଉଛି ଦୟା । ନଦୀରେ ମିଶୁଛି ଗଙ୍ଗୁଆ ନାଳର ଦୂଷିତ ପାଣି । ରାଜଧାନୀ ଭୁବନେଶ୍ୱରର ମଇଳା ପାଣି ଗଙ୍ଗୁଆ ନାଳରେ ଜମା ହୁଏ । ଯାହା ସିଧା ଯାଇ ମିଶିଛି ଦୟାନଦୀରେ ।

ଦୟା ନଦୀ ପ୍ରଦୂଷଣ ହେବାର ଗଙ୍ଗୁଆ ଏକମାତ୍ର କାରଣ ନୁହେଁ । ଦୟା ନଦୀରେ ମୂର୍ତ୍ତି ବିସର୍ଜନ, ଗାଈଗୋରୁ ଗାଧୋଇବାରୁ ମଧ୍ୟ ଜଳ ପ୍ରଦୂଷିତ ହୋଇଛି । ରିପୋର୍ଟ ଆଧାରରେ ଏହି ନଦୀ ପାଣିରେ ମାଛ ବି ବଂଚି ପାରିବେନି । ଦୟାନଦୀ ବିଷାକ୍ତ ହେବା ପରେ ସରକାରଙ୍କ ଚେତା ପଶିଛି । ମୁକାବିଲା ପାଇଁ ଗଙ୍ଗୁଆ ଓ ୬ଟି ସ୍ଥାନରେ ଟ୍ରିଟମେଂଟ ପ୍ଲାଂଟ କରାଯିବାକୁ ନିଷ୍ପତି ନିଆଯାଇଛି । ଏଥିଲାଗି ୮ଶହ କୋଟିର ବ୍ୟୟବରାଦ ହୋଇଛି । ଦୁଇଟି ଏସଟିପିର କାମ ସରିଥିବାେବେଳେ ବାକି କାମ ଆସନ୍ତା ୨ ବର୍ଷରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ପ୍ରଶ୍ନ ଉଠୁଛି ଆସନ୍ତା ୨ ବର୍ଷ ଯାଏଁ ଏହି ପାଣି ବ୍ୟବହାର ଉପରେ କଣ ଚିନ୍ତା କରିଛନ୍ତି ସରକାର? ଦୟା ନଦୀର ପାଣି ବ୍ୟବହାର କରି ରୋଗରେ ପଡିବେନି ତ ରାଜଧାନୀ ବାସୀ ? ଚାଷ ପାଇଁ ଦୟା ନଦୀ ଉପରେ ନିର୍ଭର କରୁଥିବା ଲୋକେ କରିବେ କଣ?