କନକ ବ୍ୟୁରୋ : ଆଜିଠୁ ସ୍ୱାଭାବିକ ହେବ ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତି । ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ୨ ଦିନ ପ୍ରଭୁ ଲିଙ୍ଗରାଜଙ୍କୁ ଉପାସରେ ରହିବାକୁ ପଡ଼ିଛି । ମଙ୍ଗଳ ଆଳତିଠାରୁ ଆରମ୍ଭ କରି ରାତ୍ରି ପହୁଡ ପର୍ଯ୍ୟନ୍ତ କୌଣସି ନୀତି କରାଯାଇନାହିଁ । ଏମିତିକି ମହାସ୍ନାନ ସହ ଏକାଧିକ ଥର ବେଶ ହେଉଥିବା ପ୍ରଭୁ ଲିଙ୍ଗରାଜ ଅଗାଧୁଆ ରହିଥିଲେ । ସୂର୍ଯ୍ୟପୂଜା, ସକାଳ ଧୂପ, ବଲ୍ଲଭ, ଦ୍ୱିପହର ଧୂପ, ସଂଧ୍ୟା ଆଳତି, ବଡସିଂହାର ବେଶ ମଧ୍ୟ କରାଯାଇନାହିଁ ।

Advertisment

ଲିଙ୍ଗରାଜଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ରହିଥିଲେ ମଧ୍ୟ ନୀତି ନହେବା ଭକ୍ତଙ୍କୁ ବେଶ୍ ଆଘାତ ଦେଇଥିଲା । ମହାପ୍ରଭୁଙ୍କ ପବିତ୍ରାରୋପଣ ବା ପଇତା ଲାଗି ନୀତିକୁ ନେଇ ବଡୁ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ୨୦୨୦ ମସିହାରୁ ବିବାଦ ଲାଗି ରହିଛି । ଉଭୟ ନିଯୋଗ ମଧ୍ୟରେ ବିବାଦ ସମାଧାନ ନହେବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ଦେବୋତର କମିଶନଙ୍କ କୋର୍ଟରେ ମାମଲା ଦାୟର କରାଯାଇଛି । ମାମଲା ବିଚାରାଧୀନ ଥିବାରୁ ମନ୍ଦିର ପ୍ରଶାସନଠୁ ଆରମ୍ଭ କରି ସେବାୟତମାନେ ଏହି ନୀତି କରିବା ନେଇ ଆଗ୍ରହ ଦେଖାଉ ନାହାନ୍ତି ।