ରୀତାଙ୍କୁ ବିଜେଡି ଟିକେଟ୍ ଦେବା ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା। ନିରଂଜନ କହିଲେ, ସେ କାଲି ଆମ ବୋହୂ ଥିଲେ, ଆଜି ତାଙ୍କ ଘରକୁ ଯାଇଛନ୍ତି; କିନ୍ତୁ ସବୁବେଳେ ତାଙ୍କୁ ଅନୁକମ୍ପା ଭୋଟ୍ ମିଳିବନି

865

କନକ ବ୍ୟୁରୋ: କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କୁ ବିଜେପୁରରେ ଟକ୍କର ଦେବେ ରୀତା । ବିଜେଡି ପ୍ରାର୍ଥୀ ଭାବେ ରୀତା ସାହୁଙ୍କ ନାଁ ଘୋଷଣା ପରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । ରୀତା ସାହୁ ଘରର ବୋହୂଥିଲେ, ତାଙ୍କ ବିଷୟରେ କିଛି କହିବେନି ବୋଲି ମନାକରି ଦେଇଛନ୍ତି ନିରଂଜନ । ତେବେ ସବୁବେଳେ ଅନୁକମ୍ପା ଭୋଟ ମିଳିନଥାଏ ବରଂ ତାହା ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ ରହିଥାଏ । ତେଣୁ ନବୀନବାବୁ କେତେ ଦିନ ବିଜେପୁରବାସୀଙ୍କୁ ପ୍ରତାରିତ କରିବେ ତାହା ଖୋଦ୍ ଜନତା ହିଁ ବିଚାର କରିବେ ବୋଲି କହିଛନ୍ତି ନିରଂଜନ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପୂର୍ବ ନିର୍ବାଚନରେ ବହୁତ କିଛି ଘୋଷଣା କରାଯାଇଥିଲା । ଲୋକେ ପ୍ରବର୍ତ୍ତିତ ହୋଇ ଭୋଟ୍ ଦେଇଥିଲେ । ପୁନର୍ବାର ପୁଣି ସାଧାରଣ ନିର୍ବାଚନ ବେଳେ ନବୀନବାବୁ ନିଜେ ଛିଡା ହୋଇଗଲେ ଏବଂ ସେ ବିଜେପୁର ଆସନ ଛାଡି ଏବେ ଦ୍ୱିତୀୟ ଥର ପାଇଁ ବିଜେପୁରବାସୀଙ୍କୁ ପ୍ରତାରିତ କରିଛନ୍ତି । ଏବେ ବିଜେପୁରବାସୀ ଯାହା ବିଚାର କରିବେ ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।

 

ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ବିଜେପୁରର ବିକାଶ ଦାୟିତ୍ୱ ସେ ନିଜେ ନେଇଛନ୍ତି । ଆସନ୍ତା ୩୦ ତାରିଖରେ ରୀତା ସାହୁ ନାମାଙ୍କନ ଭରିବେ । ୨୦୧୮ରେ ଦୀର୍ଘ ବର୍ଷ ଧରି କଂଗ୍ରେସ ଅକ୍ତିଆରରେ ଥିବା ଏହି ଆସନକୁ ପ୍ରଥମ ଥର ପାଇଁ ରୀତା ସାହୁଙ୍କ ଜରିଆରେ ହାତେଇଥିଲା ବିଜେଡି । କଂଗ୍ରେସର ଦିବଂଗତ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେଡିର ହାତ ଧରିଥିଲେ ତାଙ୍କ ପତ୍ନୀ ରୀତା ସାହୁ । ଏବଂ ରୀତାଙ୍କୁ ବିଜେଡିରୁ ପ୍ରାର୍ଥୀ କରି କଂଗ୍ରେସ ଗଡରେ ଧସେଇ ପଶିଥିଲା ବିଜେଡି । ହେଲେ ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂଜିଳି ଆସନ ସହ ବିଜେପୁରରୁ ଲଢି ବିଜୟୀ ହୋଇଥିଲେ । ପରେ ହିଂଜିଳି ଆସନଟିକୁ ରଖି ବିଜେପୁର ଛାଡିଦେବା ପରେ ଏଠାରେ ଉପନିର୍ବାଚନ ହେଉଛି ।

 

ତେବେ ରୀତା ସାହୁଙ୍କ ନାଁ ଘୋଷଣା ପରେ ସେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ବିଜେପୁରରେ ବିଜେଡି ବାଜିମାତ କରିବ । ବିଜେପୁରକୁ ଅନେକ ଅନୁଦାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜିତିଲେ ବାକି ରହିଯାଇଥିବା କାମ କରିବ ବୋଲି କହିଛନ୍ତି ରୀତା । ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।