କନକ ବ୍ୟୁରୋ: ପୁଣି ଦୁନିଆ ଦେଖିବ, ପାଠ ପଢିବ, ବଡ ହୋଇ ଦିଦି ହେବ । ଏ କଥା ଭାବି ଭାବି ଭାରି ଖୁସି ହେଉଛି କୁନି ଝିଅ ରୀତା । ଗଣମାଧ୍ୟମରେ ଖବର ବାଜିବା ପରେ ରୀତାର ଭାଗ୍ୟ ଉଦୟ ହୋଇଛି । ବିଧାୟକ, ମନ୍ତ୍ରୀ ଜାଣିବା ପରେ ତା’ର ଚିକିତ୍ସା ପାଇଁ ରୀତାକୁ ଭୁବନେଶ୍ୱର ପଠାଇଛନ୍ତି । ସେଠାରେ ତା’ର ଚିକିତ୍ସା ହେବ, ପୁଣି ଆଖିର ଜ୍ୟୋତି ଫେରି ପାଇବ ରାୟଗଡା ଝିଅ ରୀତା ପୀଡିକା ।

Advertisment

ରାୟଗଡା ଝିଅ ରୀତା ପୀଡିକାଙ୍କ ଖବର ନିକଟରେ କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ଟିବି ରୋଗ ଭଲ କରିବାକୁ ଡାକ୍ତରୀ ଔଷଧ ଖାଇବା ପରେ ଦୃଷ୍ଟି ଶକ୍ତି ହରାଇଥିଲା ରୀତା । ଜିଲ୍ଲା ଚକ୍ଷୁ ହସ୍ପିଟାଲରେ ଚିକିତ୍ସା କରାଇବା ପରେ ବି କିଛି ଲାଭ ମିଳିନଥିଲା ।  ଅଧିକ ଚିକିତ୍ସା ଆବଶ୍ୟକ ଥିଲେ ବି ଅର୍ଥ ଅଭାବରୁ ରୀତାଙ୍କର ଚିକିତ୍ସା କରାଇପାରିନଥିଲେ ବାପା, ମା’ । ଫଳରେ ତା’ର ଭବିଷ୍ୟତ ନେଇ ଆଶଙ୍କା ଦେଖାଦେଇଥିଲା । ପାଠରେ ଭାରି ଆଗ୍ରହୀ ଥିବା ରୀତା ସବୁବେଳେ ନିଜ ବହି ଖାତାକୁ ଧରି ଝୁରିହୁଏ । ସ୍କୁଲ ଦିଦି ହେବା ସ୍ୱପ୍ନ  ତାର ଉଭେଇ ଯିବ ଭାବି ଭାରି ମନ କଷ୍ଟ କରେ । କୁନି ଝିଅର ଏହି ଦୁଃଖ ଜାଣିବା ପରେ ବିଧାୟକ ଏହାକୁ ଗୁରୁତର ସହ ନେଇଥିଲେ । ରୀତାକୁ ଯଥାସାଧ୍ୟ ସାହାଯ୍ୟ କରାଯାଇ ତା’ର ଆଖିର ଚିକିତ୍ସା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଜି ସେ ପ୍ରତିଶ୍ରୁତି ପୂରଣ ହୋଇଛି । ପ୍ରଶାସନର ସହାୟତାରେ ଝିଅ ରୀତାକୁ ଧରି ଆଖି ଚିକିତ୍ସା କରିବାକୁ ଭୁବନେଶ୍ୱର ଯାଇଛନ୍ତି ପରିବାର ଲୋକେ । ସେଠାରେ ଥିବା ଏଲଭି ପ୍ରସାଦ ଆଇ ହସ୍ପିଟାଲରେ ହେବ ରୀତାର ଚିିକତ୍ସା ।ଏଥିରେ ରୀତାର ଖୁସି କହିଲେ ନସରେ ।

ଭୁବନେଶ୍ୱେରରେ ରୀତା ଆଖିର ଚିକିତ୍ସା ସହ ସେଠାରେ ତାଙ୍କର ରହିବା ବ୍ୟବସ୍ଥା କରିଛି ପ୍ରଶାସନ । ଖୋଦ୍ ବିଡିଓ, ରୀତା ଓ ତାଙ୍କ ବାପା, ମା’ଙ୍କୁ ବସରେ ବସାଇ ବାଟେଇଦେବାକୁ ଆସିଥିଲେ । ଏହାସହ ଖବର ପ୍ରାସରଣ ପାଇଁ କନକ ନ୍ୟୁଜକୁ ଧନ୍ୟବାଦ ଜଣାଇଛନ୍ତି ରୀତାଙ୍କ ଗ୍ରାମବାସୀ

ଗଣମାଧ୍ୟମର ସହଯୋଗ ସହ ପ୍ରଶାସନର ତତ୍ପରତା ବାସ୍ତବରେ ରୀତାକୁ ନୂଆ ଜୀବନ ଦେଇଛି । ତା’ ଜୀବନରେ ଭରିଦେଇଛି ଆଶାର ଆଲୋକ ।