କନକ ବ୍ୟୁରୋ : ଢେଙ୍କାନାଳର ସାପୁଆ ନଈରେ ପାର ହୋଇ ସ୍କୁଲ ଯାଉଥିବା ଏହି ସାହସୀ ଶିକ୍ଷୟତ୍ରୀଙ୍କ ଦୃଶ୍ୟ ଆପଣଙ୍କୁ ବଲିଉଡ ଫିଲ୍ମ ନିଉଟନର କଥା ମନେପକାଇ ଦେବ । ଯେଉଁଠି ଜଣେ ସରକାରୀ ଅଧିକାରୀ କିଭଳି ନିଜ ଜୀବନକୁ ବାଜିରେ ଲଗାଇ ଆଦିବାସୀ ଅଧୁଷିତ ଅଞ୍ଚଳରେ ମତଦାନ କରାଇଥିଲେ ତାହା ଦେଖିବାକୁ ମିଳିଥିଲା । ହୁଏତ ନକ୍ସଲ ଅଞ୍ଚଳରେ ମତଦାନ କରାଇନଥିଲେ ଅଧିକାରୀଙ୍କର କୌଣସି କ୍ଷତି ହୋଇନଥାନ୍ତା । କିନ୍ତୁ ଅଧିକାରୀଙ୍କ ଜିଦ୍ ଥିଲା ଲାଲଗଡରେ ମଧ୍ୟ ଶୁଭିବ ଗଣତନ୍ତ୍ରର ସ୍ୱର । ଠିକ୍ ସେମିତି ଏକ ସତ କାହାଣୀର ସୁତ୍ରଧର ସାଜିଛନ୍ତି ସାହାସୀ ଶିକ୍ଷୟତ୍ରୀ ବିନୋଦିନୀ ସାମଲ ।

Advertisment

publive-imageଭରା ନଈ, ବେକେ ପାଣି, ଆଉ ପାଣି ଭିତରେ ପାଦେ ପାଦେ ବିପଦ । ଗୋଡ ଟିକେ ଖସିଗଲେ ଜୀବନ ଯିବାର ଭୟ । ଆଉ ନଦୀ ପାର ହେଲେ କାଦୁଅ ପଚପଚ ରାସ୍ତା । ଏହା ସତ୍ତେ୍ୱ ବି ସ୍କୁଲ ବନ୍ଦ ହେବନି କି ପିଲାଙ୍କ ପାଠ ପଢାରେ ବ୍ରେକ ଲାଗିବନି । ବିନୋଦିନୀଙ୍କ ଏହି ଗୋଟିଏ ଜିଦ୍ ପାଇଁ ନଈ ଆରପଟେ ଥିବା ରଥିଆପାଳ ସ୍କୁଲରେ କେବେ ତାଲା ଝୁଲିନି କି ପିଲାଙ୍କ ଉପସ୍ଥାନ କମିନି । ପିଲାଙ୍କୁ ପାଠ ପଢାଇବାର ଝୁଙ୍କ ଆଗରେ ନଈର ପ୍ରଖର ସ୍ରୋତ ମଧ୍ୟ ହାର ମାନିଛି ।

ଏହି ଦୃଶ୍ୟ ଆଜି, କାଲି କିମ୍ବା ବନ୍ୟା ବେଳର ନୁହେଁ ଦୀର୍ଘ ୧୧ ବର୍ଷ ଧରି ନଈ ଆରପଟେ ଅପେକ୍ଷା କରିଥିବା ପିଲାଙ୍କ ଭବିଷ୍ୟତ ଗଢିବାକୁ ଏମିତି ନିତି ଯାଆସ କରୁଛନ୍ତି ବିନୋଦିନୀ । ବିନୋଦିନୀ ନଗଲେ ହୁଏତ ଅନ୍ଧକାରକୁ ଠେଲି ହୋଇଯିବ ଶହ ଶହ ଛାତ୍ରଛାତ୍ରୀଙ୍କ ସୁନେଲୀ ସ୍ୱପ୍ନ । ସେଥିପାଇଁ ତ ଶାପୁଆ ନଈର ଲକ୍ଷ୍ମଣରେଖା ଭେଦି ସ୍କୁଲରେ ପହଞ୍ଚୁଛନ୍ତି ଶିକ୍ଷାର ଦେବୀ । କେବେ ନଈରେ ପାଣି ଅଧିକ ହୋଇଗଲା ବୋଲି ଭାବି ଅଟକି ଯାଇନାହାନ୍ତି ବିନୋଦିନୀ । ଗୋଟିଏ ଲକ୍ଷ୍ୟ ଏ ଗାଁର ପିଲା ପାଠ ପଢିବେ, ନିଜ ଭବିଷ୍ୟତ ନିଜେ ଗଢିବେ ।

ରାଜଧାନୀ ଠାରୁ ୭୦ କିମି ଦୂରରେ ପ୍ରତିଦିନ ଏହି ଚିତ୍ର ଦେଖିବାକୁ ମିଳୁଥିଲା । ହେଲେ କେବେବି କୋଳାହଳମୟ ଦୁନିଆର ଦୃଷ୍ଟି ଆକର୍ଷଣ କରିନଥିଲା । ଯିଏ ନଦୀର ସ୍ରୋତକୁ ଚିରି ଆଗକୁ ବଢି ପିଲାଙ୍କ ଭବିଷ୍ୟତ ତିଆରି କରୁଥିଲେ, ସେ କେବେ ମଧ୍ୟ ନିଜ ଭବିଷ୍ୟତକୁ ନେଇ ସନ୍ଦିହାନ ନଥିଲେ । ସେ କେବେ କାହାଠାରୁ ବାହା ବା ଚାହିଁ ନାହାନ୍ତି, ସେ କେବେ ଗଣମାଧ୍ୟମର ଶିରୋନାମା ସାଜି ସମ୍ମାନ ହାସଲ କରିବାକୁ ଉଦ୍ୟମ କରିନାହାନ୍ତି, ଖାସ ସେଥିପାଇଁ ତ କେବେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇନାହାନ୍ତି ଶିକ୍ଷାର ଏହି ସାକ୍ଷାତ ଦେବୀ ଜଣକ । ଆଜି ଏହି ଚିତ୍ର ଏଥିପାଇଁ ଆପଣଙ୍କ ସାମ୍ନାରେ ରଖୁଛୁ, ହୁଏତ ସରକାରଙ୍କ ନଜରକୁ ଏହି ଭରାନଦୀର ବିପଦସଙ୍କୁଳ ଯାତ୍ରା ଆସିଲେ, ଏଠାରେ ନଦୀର ଛାତି ଉପରେ ଏକ ବ୍ରିଜ ତିଆରି ହେବ, ଯାହା ଶିକ୍ଷା ଆଉ ଶିକ୍ଷୟତ୍ରୀଙ୍କ ଭିତରେ ଦୂରତା ତିଆରି କରିବା ବଦଳରେ ସଂପର୍କ ସ୍ଥାପନ କରିବ ।