କନକ ବ୍ୟୁରୋ : ମହାନଦୀରେ ଆସିବ ମଧ୍ୟମ ଧରଣର ବନ୍ୟା । ସ୍ପେଶାଲ ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି, ମହାନଦୀରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ହେବ । ମୁଣ୍ଡୁଳୀ ଦେଇ ଗତି କରିବ ପ୍ରାୟ ୭ ଲକ୍ଷ କ୍ୟୁସେକ୍ ଜଳ । ଏହା ଅଧିକ କ୍ଷୟକ୍ଷତି କରିବ ନାହିଁ ବୋଲି ଅନୁମାନ କରାଯାଉଛି । ହୀରାକୁଦ ଉପରମୁଣ୍ଡ ଛତିଶଗଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦରେ ପ୍ରଚୁର ପରିମାଣରେ ବନ୍ୟା ଜଳ ପ୍ରବେଶ କରୁଛି । ହୀରାକୁଦ ଡ୍ୟାମର ଏବେ ୨୪ଟି ଗେଟ ଖୋଲା ରହିଛି ।
ପ୍ରାଚୀ ଡିଭିଜନ ଅଧୀନ ବାଲିଅନ୍ତା କେନାଲ ସବ୍ଡିଭିଜନ ସହକାରୀ ଯନ୍ତ୍ରୀ ଭୀମସେନ ବେହେରାଙ୍କ ସୂଚନାନୁସାରେ କୌଣସି ପ୍ରକାର ବଡ଼ଧରଣର ବନ୍ୟା ଆଶଙ୍କା ନାହିଁ । ମୁଣ୍ଡଳି ୱେୟାର୍ରେ ପ୍ରାୟ ୬ ଲକ୍ଷ ୪୩ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ସେଥିରୁ ପ୍ରାୟ ୩ ଲକ୍ଷ ୨୧ ହଜାର କ୍ୟୁସେକ୍ ଜଳ ମହାନଦୀରେ ପ୍ରବାହିତ ହେଉଛି । ଅବଶିଷ୍ଟ ପାଖାପାଖି ୩ ଲକ୍ଷ କ୍ୟୁସେକ୍ ଜଳ ଉଭୟ କାଠଯୋଡ଼ି ଓ କୁଆଖାଇରେ ପ୍ରବାହିତ ହେଉଛି । ତେବେ କାଠଯୋଡ଼ିରେ ଅଧିକ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ କୁଆଖାଇରେ ପାଖାପାଖି ୪୦ ହଜାର କ୍ୟୁସେକ୍ ପାଣି ଚାଲିଛି ।
କୁଆଖାଇ ଓ କୁଶଭଦ୍ରା ନଦୀଦ୍ବୟର ବିପଦସଙ୍କେତ ୧୮.୨୫ ମିଟର ଥିବା ବେଳେ ସନ୍ଧ୍ୟା ସୁଦ୍ଧା ଜଳସ୍ତର ୧୫ ମିଟରରୁ ସାମାନ୍ୟ ଅଧିକ ରହିଛି। ବନ୍ୟା ପରିସ୍ଥିତି ହୋଇନଥିଲେ ମଧ୍ୟ କୁଶଭଦ୍ରା ନଦୀ ଶଯ୍ୟାରେ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି । ଶିଶୁମଠରୁ ସାହେବନଗରକୁ ସଂଯୋଗ କରୁଥିବା ରାସ୍ତାଟି ପୂରା ଧୋଇଯାଇଛି । ତେଣୁ ଆଜି ସାହେବନଗର, ମହୁଖଣ୍ଡା, ନୂଆସାହି ଓ କୋଳଥପିଠା ପ୍ରଭୃତି ଅଞ୍ଚଳର ଲୋକେ ବାଲିପାଟଣାକୁ ଆସିବା ପାଇଁ କାକରୁଦ୍ରପୁର ବ୍ରିଜ୍ ଦେଇ ବୁଲିଛନ୍ତି । ଶିଶୁମଠ ଠାରେ ନଦୀରେ ପୋଲ ନିର୍ମାଣ ସରିଥିଲେ ବି ସଂଯୋଗ ରାସ୍ତା ସରିନଥିବାରୁ ଲୋକେ ଆଜି ଯାତାୟାତ ପାଇଁ ସମସ୍ୟାରେ ପଡ଼ିଥିଲେ ।