କନକ ବ୍ୟୁରୋ: ମହାନଦୀର ବନ୍ୟା ଆସିବା ପରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡାର ତଳିଆ ଅଞ୍ଚଳରେ ପାଣି ପଶିଯାଇଛି । ଗାଁରେ, ଘରେ, ବନ୍ୟା ପାଣି ପଶିବା ପରେ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖିଛି କନକ ନ୍ୟୁଜ ଟିମ୍, ଆଉ କ୍ୟାମେରାରେ କଏଦ ହୋଇଛି ଲୋକଙ୍କ ଦୁର୍ଦ୍ଦଶାର ଦୃଶ୍ୟ । ବିଭିନ୍ନ ସ୍ଥାନରେ ବନ୍ୟା ପାଣିରେ ବୁଡି ଯାଇଛି ଘର ଦ୍ୱାର । ଉତ୍ତରା ଫୁବା ଶାସନ ବନ୍ୟା ପାଣିରେ ସଂପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି । ପ୍ରାୟ ୨୦ରୁ ଅଧିକ ପରିବାର ନଦୀ ବନ୍ଧରେ ଜରିପାଲ ଘୋଡେଇ ଆଶ୍ରୟ ନେଇଛନ୍ତି ।

Advertisment

ସେହିଭଳି ଖୋର୍ଦ୍ଧା ଜିଲ୍ଲା ଓରବରସିଂ ପଞ୍ଚାୟତର ଦୃଶ୍ୟ ସାମ୍ନାକୁ ଆସିଛି । ଘରେ ପାଣି ପଶିଯିବା ପରେ ରୋଷେଇ ବନ୍ଦ, ଦିନକୁ ଦିଓଳି ଖାଇବାକୁ ପାଉନାହାନ୍ତି ଲୋକେ । ରାସ୍ତାରେ ବନ୍ୟା ମାଡିଯାଇଥିବାରୁ ଯାତାୟତ ଠପ୍ ହୋଇପଡିଛି । ଲୋକେ ସ୍ୱାସ୍ଥ୍ୟ ସେବା ପାଇଁ ମଧ୍ୟ ବାହାରକୁ ଯାଇ ପାରୁନାହାନ୍ତି ।

କଟକ ଜିଲ୍ଲା ଆଠଗଡର ତିଗିରିଆ ଚଷାହାର ଗାଁରେ ଘରକୁ ଲାଗି ବହିଯାଉଛି ବନ୍ୟା ପାଣି । ଗାଁର କିଛି ଲୋକ ଅସୁସ୍ଥ ହୋଇପଡିବାରୁ ପ୍ରଶାସନ ପକ୍ଷରୁ ଗାଁରେ ହେଲଥ କ୍ୟାମ୍ପ କରି ଔଷଧ ବଣ୍ଟନ କରାଯାଇଛି । ଏଥିସହ ଗାଁ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟର ବନ୍ଦୋବସ୍ତ କରିଛି ପ୍ରଶାସନ । ଅନ୍ୟପଟେ ପୁରୀ ଜିଲ୍ଲା ବାଲିପାଟଣା ଅଞ୍ଚଳର ଗରିଆ ଗାଁ ଏବେ ଜଳମଗ୍ନ । ଗାଁରେ ଥିବା ବନ୍ୟା ଆଶ୍ରୟସ୍ଥଳରେ ମଧ୍ୟ ପାଣି ପଶିଯାଇଛି । ଲୋକେ କୁଆଡେ ଯିବେ, କେଉଁଠି ଆଶ୍ରୟ ନେବେ କିଛି ବୁଝିପାରୁ ନାହାନ୍ତି । ଏନଡିଆରଏଫ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛି ।

ଏ ସ୍ଥିତିକୁ ଦେଖିଲେ ଲାଗୁଛି ଗାଁରେ ପାଣି ପଶି ନାହିଁ, ପାଣି ଭିତରେ ଘର କରି ଅଛନ୍ତି ଲୋକେ । ପୁରୀ ଜିଲ୍ଲା ବାଲିପାଟଣା ବ୍ଲକ କମ୍ପାଲୋ ପଞ୍ଚାୟତର ଦରଡା ଗାଁରେ ବନ୍ୟା ପାଣି ପଶିବା ପରେ ଲୋକେ ଭୋକ ଉପାସରେ ଓଦା ସରସର ହୋଇ ଦିନକାଟୁଛନ୍ତି । ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ ବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଡେଲାଙ୍ଗ ସାନାକୁଳା ଗାଁରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ହେବାରୁ ବୋଟ ଯୋଗେ ହସ୍ପିଟାଲକୁ ନିଆଯାଇଛି । ଘରୁ ବୋଟ ଯାଏଁ ଗର୍ଭବତୀ ମହିଳାଙ୍କୁ ପରିବାର ଲୋକେ ଏକ ଚେୟାରରେ ବସାଇ ଟେକି ଆଣୁଥିବା ଦେଖିବାକୁ ମିଳିଛି । ବନ୍ୟା ପାଣି ଗାଁରେ ପଶିବା ପରେ ଲୋକଙ୍କ ଦୁର୍ଦଶା ବଢିଛି । ପିଇବା ପାଣିଠୁ ଆରମ୍ଭ କରି, ଦିନକୁ ଦି ଓଳି ଖାଇବା, ଗାଧୋଇବା, ଶୌଚ ଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି ବନ୍ୟା ବିପନ୍ନ ।