କନକ ବ୍ୟୁରୋ : ଦେଶରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ଏବେ କମୁ୍ଥିବା ନେଇ ସ୍ପଷ୍ଟଚିତ୍ର ଆସିଛି । ମଙ୍ଗଳବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ଏବେ ବୃଦ୍ଧି ପାଇଛି । ଏହା ଏବେ ୮୫.୬ ପ୍ରତିଶତରେ ପହଂଚିଛି । କହିରଖୁ କି ମେ ୩ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ମୁତାବକ ଏହା ୮୧.୭ ପ୍ରତିଶତ ଥିଲା । ଏହି କ୍ରମରେ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୪,୨୨,୪୩୬ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହାକି କରୋନା କାଳରେ ଗୋଟିଏ ଦିନରେ ସବୁଠାରୁ ଅଧିକ ସୁସ୍ଥକଙ୍କ ସଂଖ୍ୟା ବୋଲି କୁହାଯାଇଛି । ମନ୍ତ୍ରଣାଳୟର ଜଏଣ୍ଟ ସେକ୍ରେଟାରୀ ଲଭ୍ ଅଗ୍ରୱାଲ କହିଛନ୍ତି କି ଏହା ସ୍ପଷ୍ଟଭାବେ ଏକ ପଜିଟିଭ୍ ଟ୍ରେଣ୍ଡ ।

Advertisment

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସୁସ୍ଥକଙ୍କ ସଂଖ୍ୟା ବଢିବା ସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବି କମିବାରେ ଲାଗିଛି । କେବଳ ୮ ଟି ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁଥିବା ବେଳେ ୨୬ ଟି ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ଠାରୁ ସୁସ୍ଥକଙ୍କ ହାର ବୃଦ୍ଧି ପାଇଛି ।

ଅନ୍ୟପଟେ ମନ୍ତ୍ରଣାଳୟର ସୂଚନା ମୁତାବକ ଦେଶରେ ମୋଟ ଜନସଂଖ୍ୟାର ୧.୮ ପ୍ରତିଶତ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇସାରିଛନ୍ତି । ଏହାସହ ପୁରା ଦେଶରେ ପଜିଟିଭ୍ ହାର ହ୍ରାସ ପାଇ ୧୪.୧୦ ପ୍ରତିଶତରେ ପହଂଚିଛି । କହିରଖୁ କି କିଛିଦିନ ହେବ ପୁରା ଦେଶରେ ଦୈନିକ ସଂକ୍ରମଣ ଠାରୁ ସୁସ୍ଥକଙ୍କ ସଂଖ୍ୟା ଅଧିକ ରହୁଛି । ହେଲେ ଗ୍ରାମାଞ୍ଚଳରେ ବଢୁଥିବା ସଂକ୍ରମଣ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି ।