ସୁନ୍ଦରଗଡରେ କରୋନାର “ଆର-ଭ୍ୟାଲୁ”କୁ ନେଇ ଆଶଙ୍କା । ନୂଆ ଗଣିତ କହୁଛି, ଜିଲ୍ଲାରେ ସବୁଠୁ ଅଧିକ ସଂକ୍ରମଣ କ୍ଷମତା, ମିଳୁଛି କି ତୃତୀୟ ଲହର ସଂକେତ?

256

କନକ ବ୍ୟୁରୋ : କରୋନା ସଂକ୍ରମଣ କ୍ଷମତାକୁ ନେଇ ଓଡିଶାର ସୁନ୍ଦରଗଡ ଜିଲ୍ଲାରୁ ଆସିଛି ଚିନ୍ତାଜନକ ଖବର । ଇଣ୍ଡିଆନ୍ ମାଥମେଟିକାଲ ସାଇନ୍ସର ସୂଚନା ଅନୁସାରେ ସୁନ୍ଦରଗଡରେ ଆର ଭାଲ୍ୟୁ ୧ ଉପରେ ରହିଛି । ଆର ଭ୍ୟାଲୁ ବଢ଼ିବା, ସଂକ୍ରମଣ ବଢିବାର ସଂକେତ । ତେଣୁ ସୁନ୍ଦରଗଡରେ ଏହା କରୋନାର ତୃତୀୟ ଲହର ଆରମ୍ଭର ସଙ୍କେତ ବୋଲି ସନ୍ଦେହ କରାଯାଉଛି ।

ଚିନ୍ତା ବଢ଼ାଇଲା ‘ଆର’ ଭ୍ୟାଲୁ । ସୁନ୍ଦରଗଡ଼ରେ ୧ ଟପିଲା ‘ଆର’ ଭ୍ୟାଲୁ । ମିଳୁଛି କି ତୃତୀୟ ଲହର ସଂକେତ? ‘ଆର’ ଭ୍ୟାଲୁ ବା ରିପ୍ରଡକ୍ଟସନ୍ ଭ୍ୟାଲୁ । କରୋନା ମହାମାରୀରେ ଏହାର ଅର୍ଥ ହେଉଛି ଜଣେ ଅନ୍ୟକୁ ସଂକ୍ରମିତ କରିବା କ୍ଷମତା ।ଯେତେବେଳେ ସଂକ୍ରମଣ ହ୍ରାସ ପାଏ, ସେତେବେଳେ ଆର ଭ୍ୟାଲୁ ହ୍ରାସ ପାଇଥାଏ । ଆଉ ଆର ଭ୍ୟାଲୁ ବଢ଼ିଲେ ସଂକ୍ରମଣ ବଢିବାର ସଂକେତ ମିଳିଥାଏ । ଏହି ହିସାବ ଅନୁସାରେ କରୋନା ସଂକ୍ରମଣର ପ୍ରଭାବ ଆକଳନ କରାଯାଇଛି ।

ଚିନ୍ତାର ବିଷୟ ହେଉଛି, ସୁନ୍ଦରଗଡ଼ ଜିଲ୍ଲାରେ ଆର ଭ୍ୟାଲୁ ଜୁଲାଇ ୪ରୁ ୧୫ ମଧ୍ୟରେ ୧.୧୩ ରହିଛି । ପୂର୍ବରୁ ଏହା ୦.୮୨ ଥିଲା । ଖୋର୍ଦ୍ଧାରେ ୧ ପାଖାପାଖି ଥିବା ବେଳେ ଓଡ଼ିଶାର ଆର ଭ୍ୟାଲୁ ଏହି ସମୟ ମଧ୍ୟରେ ୦.୮୬ ରହିଛି । ସେହିପରି ପୁରୀ ଓ ବାଲେଶ୍ୱରରେ ଆର ଭ୍ୟାଲୁ ୦.୮୧ ଏବଂ କଟକ ଜିଲ୍ଲାର ରହିଛି ୦.୭୮ । ଓଡ଼ିଶାର ଏକମାତ୍ର ଜିଲ୍ଲା ଭାବେ ସୁନ୍ଦରଗଡ଼ର ଆର ଭ୍ୟାଲୁ ୧ ଉପରକୁ ଉଠିଯାଇଛି । ଚେନ୍ନାଇ ସ୍ଥିତ ଇଣ୍ଡିଆନ୍ ମାଥମେଟିକାଲ ସାଇନ୍ସର ଗାଣିତିକ ମଡେଲରୁ ଏହି ତଥ୍ୟ ମିଳିଛି ।

ଇଣ୍ଡିଆନ୍ ମାଥମେଟିକାଲ ସାଇନ୍ସର ଗବେଷକ ପ୍ରଫେସର ସୀତାଭ ସିହ୍ନା କହିଛନ୍ତି, ଯେଉଁଠି ଆର ଭ୍ୟାଲୁ ୧ ଉପରକୁ ଚାଲିଯାଏ ସେଠାରେ ସଂକ୍ରମଣ ବଢିବା ନେଇ ଆଭାସ ମିଳିଥାଏ । ଭାରତରେ ଜୁନ ୩୦ରେ ‘ଆର’ ଭ୍ୟାଲୁ ୦.୭୮ ଥିଲା, ଜୁଲାଇ ପ୍ରଥମ ସପ୍ତାହରେ ‘ଆର’ ଭ୍ୟାଲୁ ୦.୮୮କୁ ବୃଦ୍ଧି ପାଇଛି । ପ୍ରଫେସର ସୀତାଭ ସିହ୍ନା କହିଛନ୍ତି, ‘ଆର’ ଭ୍ୟାଲୁ ୦.୧ ବୃଦ୍ଧି ପାଇଲେ ସଂକ୍ରମଣ ଆଖିଦୃଶିଆ ଭାବେ ବଢିଯାଇଥାଏ । ଏହା ଚିନ୍ତାର କାରଣ ବୋଲି ମତ ଦେଇଛନ୍ତି ପ୍ରଫେସର ସିହ୍ନା । ସେପଟେ ଆଇସିଏମଆର ଓ ଇମ୍ପରିଆଲ କଲେଜ ଅଫ୍ ଲଣ୍ଡନର ମିଳିତ ଗବେଷଣା କହୁଛି ଅଗଷ୍ଟ ଶେଷ ବେଳକୁ ତୃତୀୟ ଲହର ଆସିବା ସମ୍ଭାବନା ରହିଛି ।

ଛତିଶଗଡ଼ ଓ ଝାରଖଣ୍ଡରୁ ଦ୍ୱିତୀୟ ଲହର ଆରମ୍ଭ ହୋଇ ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ସଂକ୍ରମଣ ବ୍ୟାପିଥିଲା । ଗାଣିତିକ ମଡେଲରେ ସୁନ୍ଦରଗଡ଼ରେ ଆର ଭ୍ୟାଲୁ ୧ ଉପରକୁ ଯାଇଥିବା ବେଳେ ଏହା ପୁଣିଥରେ ଚିନ୍ତାର କାରଣ ହୋଇଛି ।