କନକ ବ୍ୟୁରୋ : ସ୍କୁଲ ମଧ୍ୟାନଭୋଜନରେ ଅଣ୍ଡାକୁ ନେଇ ଚିନ୍ତାରେ ଶିକ୍ଷକ ଶିକ୍ଷୟତ୍ରୀ । ବଜାରରେ ଅଣ୍ଡା ଦର ଏବେ ୭ ଟଙ୍କା ଛୁଇଁଲାଣି । କିନ୍ତୁ ସରକାର ଅଣ୍ଡା ପିଛା ୫ ଟଙ୍କା ୩୦ ପଇସା ଦେଉଛନ୍ତି । ବାକି ୧ ଟଙ୍କା ୭୦ ପଇସା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ହାତରୁ ଦେବାକୁ ପଡୁଛି । ଯେଉଁଥିପାଇଁ ଏବେ ଅଣ୍ଡା ବଦଳରେ କିଛି ସ୍କୁଲରେ ବିସ୍କୁଟ, ଖସାଲଡୁ ଦିଆଯାଉଥିବା ଦେଖିବାକୁ ମିଳୁଛି । ପିଲାଙ୍କୁ ସପ୍ତାହରେ ଏବେ ଦୁଇ ଥର ଅଣ୍ଡା ଦେବାକୁ ନିୟମ ରହିଛି । କିନ୍ତୁ ଶିକ୍ଷକଙ୍କ ହାତରୁ ଟଙ୍କା ଦେବାକୁ ପଡୁଥିବାରୁ କିଛି ସ୍କୁଲରେ ଅଣ୍ଡା ଦିଆଯାଉନାହିଁ ।

Advertisment

କେନ୍ଦୁଝରରୁ ଆସିଥିବା ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ । ଏଠାରେ ପିଲାଙ୍କୁ ଅଣ୍ଡା ବଦଳରେ ବିସ୍କୁଟ ଦିଆଯାଉଛି । କେନ୍ଦୁଝରରେ ସରକାରଙ୍କ ପକ୍ଷରୁ ଦୁଇ ଦିନ ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ବାକି ୪ ଦିନ ଅଣ୍ଡା ଦେବାର ବ୍ୟବସ୍ଥା ରହିଛି । କିନ୍ତୁ ଅଣ୍ଡା ପାଇଁ ୭ ଟଙ୍କା ବଦଳରେ ୫ ଟଙ୍କା ୩୦ ପଇସା ଦିଆଯାଉଥିବାରୁ ବୋଝ ଶିକ୍ଷକଙ୍କ ଉପରେ ପଡୁଛି । କେନ୍ଦୁଝରରେ ୨ ଲକ୍ଷ ୨୦ ହଜାର ୨୨ ଜଣ ଛାତ୍ରଛାତ୍ରୀଙ୍କୁ ଅଣ୍ଡା ଦେବାକୁ ପ୍ରତିଦିନ ଶିକ୍ଷକଙ୍କ ହାତରୁ ୩ ଲକ୍ଷ ୭୪ ହଜାର ଟଙ୍କା ଶିକ୍ଷକଙ୍କ ହାତରୁ ଯାଉଛି । ତେଣୁ ଶିକ୍ଷକ ଓ ମଧ୍ୟାନଭୋଜନ ପରିଚାଳନା ଦାୟୀତ୍ୱରେ ଥିବା ଅଣ୍ଡା ବଦଳରେ ବିସ୍କୁଟ ଦେଉଥିବା କୁହାଯାଉଛି ।

ପିଲାଙ୍କୁ ମଧ୍ୟାନଭୋଜନରେ ଅଣ୍ଡା ପରିବର୍ତ୍ତେ ବିସ୍କୁଟ ଦିଆଯାଉଥିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମଧ୍ୟାନଭୋଜନ ପିଏମ ପୋଷଣର ନୋଡାଲ ଅଫିସର ରଘୁରାମ ଆର ଆୟର । କହିଛନ୍ତି, ପିଲାଙ୍କୁ ଅଣ୍ଡା ବନ୍ଦ ଲାଗି ନିର୍ଦ୍ଦେଶ ଦିଆଯାଇ ନାହିଁ । ସପ୍ତାହକୁ ଦୁଇ ଥର ଅଣ୍ଡା ଦିଆଯାଉଛି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ମଧ୍ୟାନଭୋଜନ ଦିଆଯାଉଛି । ବର୍ଷକୁ ଥରେ ଦର ପରିବର୍ତ୍ତନ କରାଯାଏ । ଯଦି ଅଣ୍ଡା ଦିଆଯାଉନଥିବା ନେଇ ଅଭିଯୋଗ ଆସେ ତେବେ ଜିଲ୍ଲା ଶିକ୍ଷାଅଧିକାରୀ ଏବଂ ବ୍ଲକ ଶିକ୍ଷାଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ ।