କନକ ବ୍ୟୁରୋ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ । ପ୍ରତିଦ୍ୱନ୍ଦ୍ୱୀ ପେନୀ ମୋର୍ଡୋଣ୍ଟ ନାଁ ପ୍ରତ୍ୟାହାର କରିବା ପରେ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହେଲେ ସୁନକ । ସୁନକ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ତାଙ୍କୁ ୧୮୦ରୁ ଅଧିକ ସାଂସଦଙ୍କର ସମର୍ଥନ ମିଳିଛି । ଆସନ୍ତା ୨୮ ତାରିଖରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ୨୯ ତାରିଖରେ ନୂଆ କ୍ୟାବିନେଟ୍ ଗଠନ କରାଯାଇପାରେ । ୪୫ ଦିନ ଧରି ବ୍ରିଟେନର ପ୍ରଧାନମନ୍ତ୍ରୀ ରହିଥିବା ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ସୁନକଙ୍କୁ ଦୃଢ଼ ଦାବିବାର ବିବେଚନା କରାଯାଇଥିଲା । ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଦୌଡ଼ରୁ ବାଦ୍ ପଡ଼ିଥିଲେ, ଯାହାପରେ ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା । ବ୍ରିଟେନ ରାଜନୀତିରେ ଏହା ସବୁଠାରୁ ବଡ଼ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଗତ ତିନି ମାସ ଭିତରେ ସୁନକ ତୃତୀୟ ବ୍ୟକ୍ତି ଭାବେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ।

ପ୍ରଥମେ ବୋରିସ୍ ଜନସନ୍ ଇସ୍ତଫା ଦେଇଥିଲେ । ଯାହା ପରେ ସୁନକଙ୍କୁ ନିର୍ବାଚନରେ ହରାଇ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ ଲିଜ୍ ଟ୍ରସ । ହେଲେ ସେ ମଧ୍ୟ ବେଶୀ ଦିନ ଏହି ପଦରେ ରହିପାରିନଥିଲେ । ତାଙ୍କ ଇସ୍ତଫା ପରେ ସୁନକ ପୁଣିଥରେ ରେସରେ ସାମିଲ୍ ହୋଇଥିଲେ ଏବଂ ଏଥର ତାଙ୍କୁ ବିଜୟ ମିଳିଛି । ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା, ଭାରତ ପାଇଁ ଦୀପାବଳି ଉପହାର ବୋଲି କୁହାଯାଉଛି । ୨୦୧୯ରେ ବ୍ରିଟେନରେ ହୋଇଥିଲା ସାଧାରଣ ନିର୍ବାଚନ । ଆଉ ବିଜୟୀ ହୋଇଥିଲା କନଜରଭେଟିଭ ପାର୍ଟି । ୩ ବର୍ଷ ମଧ୍ୟରେ ୩ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି । ଆଉ ଏହାରି ଭିତରେ ଦଳରେ ବଢିଛି ଭାରତୀୟ ବଂଶୋଦ୍ଭବଙ୍କ ଦବଦବା । ବୋରିସ ସରକାରରେ ଋଷି ସୁନକ ଅର୍ଥମନ୍ତ୍ରୀ ଥିଲେ । ବିଗୁଡିଥିବା ଅର୍ଥନୀତିକୁ ସୁଧାରିବାକୁ ଋଷି ସୁନକଙ୍କ ଯୁକ୍ତିକୁ ବ୍ରିଟେନର ନାଗରିକ ଏବଂ କନଜରଭେଟିଭ ପାର୍ଟିର ସାଂସଦ ଗ୍ରହଣ କରିଛନ୍ତି ।

ଋଷି ସୁନକ କିଏ?
- ଋଷି ସୁନକଙ୍କ ମାତା-ପିତା ଭାରତୀୟ ବଂଶୋଦ୍ଭବ
- ସୁନକଙ୍କ ଜନ୍ମ ୧୯୮୦ ମସିହା ମେ’ ୧୨ ତାରିଖରେ ଇଂଲଣ୍ଡର ସାଉଥାମ୍ପଟନରେ ହୋଇଥିଲା
- ତାଙ୍କ ଜେଜେମା’ ଭାରତରୁ ଆଫ୍ରିକା ଚାଲିଯାଇଥିଲେ
- ତାଙ୍କ ପିତା ଆଫ୍ରିକାରୁ ବ୍ରିଟେନ୍ ଚାଲିଯାଇଥିଲେ
- ସୁନକଙ୍କ ଜେଜେ ପଂଜାବରୁ ତାଞ୍ଜାନିଆ ସ୍ତାନାନ୍ତର ହୋଇଥିଲେ
- ପରେ ମା’ଙ୍କ ପରିବାର ତାଞ୍ଜାନିଆରୁ ବ୍ରିଟେନରେ ବସବାସ କରିଥିଲେ
- ବ୍ରିଟେନରେ ସୁନକଙ୍କ ମାତା-ପିତାଙ୍କର ବିବାହ ହୋଇଥିଲା
- ସୁନକ ଜଣାଶୁଣା ଶିଳ୍ପପତି ନାରାୟଣ ମୂର୍ତିଙ୍କ ଝିଅ ଅକ୍ଷତା ମୂର୍ତିଙ୍କୁ କରିଥିଲେ ବିବାହ
- ବ୍ରିଟେନର ୱିଚେଂଷ୍ଟର କଲେଜରୁ ପଲିଟିକାଲ ସାଇନ୍ସରେ ହାସଲ କରିଛନ୍ତି ଡିଗ୍ରୀ
- ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଲିଙ୍କନ କଲେଜରେ ଫିଲୋସଫି ଓ ଇକୋନୋମିକ୍ସରେ ଅଧ୍ୟୟନ
- ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ କରିଛନ୍ତି ଏମବିଏ
- ଇନଭେଷ୍ଟମେଂଟ ଫର୍ମ, ଆନାଲିଷ୍ଟ, ଗୋଲ୍ଡମ୍ୟାନ୍ ସାଚର ରହିଛି ଅଭିଜ୍ଞତା
- ବ୍ରିଟେନରେ ସବୁଠାରୁ ଧନୀ ସାଂସଦ ଭାବେ ପରିଚିତ ସୁନକ
- ୭୩୦୦ କୋଟି ଟଙ୍କାର ସମ୍ପତି

ସୁନକଙ୍କ ରାଜନୈତିକ କ୍ୟାରିୟର
- ୨୦୧୫: ପ୍ରଥମଥର ସାଂସଦ ଭାବେ ନିର୍ବାଚିତ
- ୨୦୧୭: ଦ୍ୱିତୀୟଥର ସାଂସଦ
- ୨୦୧୯: ତୃତୀୟଥର ସାଂସଦ
- ୨୦୧୯: ଜନସନ୍ ସରକାରରେ ଅର୍ଥ ମନ୍ତ୍ରୀ
- ୨୦୨୨: ବ୍ରିଟେନ୍ ପ୍ରଧାନମନ୍ତ୍ରୀ