କନକ ବ୍ୟୁରୋ: ଆହତ ହୋଇ ଏବେ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ରିଷଭ ପନ୍ତ । କାର ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହେବା ପରେ, ଏବେ ତାଙ୍କର ଚିକିତ୍ସା ଚାଲିଛି । କୁହାଯାଉଛି ଟିମ୍ ଇଣ୍ଡିଆର ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍ ଦୀର୍ଘ ସମୟ ଧରି କ୍ରିକେଟଠାରୁ ଦୂରରେ ରହିବେ । ଦୁର୍ଘଟଣାରୁ ରକ୍ଷା ପାଇଲେ ବି, ଏବେ ପୂରାପୂରି ଠିକ୍ ହେବାକୁ ରିଷଭଙ୍କୁ ୫ରୁ ୬ ମାସ ସମୟ ଲାଗିପାରେ । ତେଣୁ ଏମିତି ସ୍ଥିତିରେ ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଅଧିନାୟକ କିଏ ହେବ ? କିଏ ରିଷଭ ପନ୍ତଙ୍କ ଜାଗା ନେବ ? ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

Advertisment

ଇଣ୍ଡିଆନ୍ ପ୍ରିମିୟର ଲିଗ ଚଳିତ ବର୍ଷ ଏପ୍ରିଲ ମାସରେ ଖେଳାଯିବାକୁ ଅଛି । ତେଣୁ ଏତେଶୀଘ୍ର ରିଷଭ ପନ୍ତ ସୁସ୍ଥ ହୋଇ ଘରକୁ ଫେରିବା ଏକପ୍ରକାର ଅସମ୍ଭବ । ଯେହେତୁ ରିଷଭ ପନ୍ତ ବର୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ଦଳର କ୍ୟାପଟେନ୍ ରହିଛନ୍ତି । ତାଙ୍କ ଅନୁପସ୍ଥିତିରେ କିଏ ଦଳର ନୂଆ କ୍ୟାପଟେନ୍ ହେବ, ତାହା ହିଁ ଏବେ ବଡ ପ୍ରଶ୍ନ । ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଦେଖିଲେ, ଦଳରେ ଜଣକୁଠୁ ଜଣେ ବଡ ଖେଳାଳି ଅଛନ୍ତି । ଡେଭିଡ୍ ୱାର୍ଣ୍ଣରଙ୍କଠୁ ଆରମ୍ଭ କରି ପୃଥ୍ୱୀ ସ, ମିଚେଲ ମାର୍ଶ, ମନୀଷ ପାଣ୍ଡେଙ୍କ ଭଳି ଖେଳାଳି ଦିଲ୍ଲୀ କ୍ୟାପିଟାଲ୍ସରେ ଥିବାରୁ, ଦଳର ମ୍ୟାନେଜମେଣ୍ଟ କାହାକୁ କ୍ୟାପଟେନ୍ କରୁଛି, ତାହା ଉପରେ ସମସ୍ତଙ୍କର ନଜର ।

ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ଦୌଡରେ ସବୁଠୁ ଆଗରେ ରହିଛନ୍ତି ଡେଭିଡ୍ ୱାର୍ଣ୍ଣର । ଅଷ୍ଟ୍ରେଲିଆର ଏହି ଖେଳାଳି, ପୂର୍ବରୁ ଆଇପିଏଲରେ କ୍ୟାପଟେନ୍ ରହିସାରିଥିବାବେଳେ, ହାଇଦ୍ରାବାଦକୁ ଚାମ୍ପିୟନ୍ ମଧ୍ୟ କରାଇସାରିଛନ୍ତି । ତେଣୁ ରିଷଭଙ୍କ ଜାଗାରେ ଡେଭିଡ୍ ୱାର୍ଣ୍ଣର ଦଳର କ୍ୟାପଟେନ୍ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ଡେଭିଡ୍ ୱାର୍ଣ୍ଣରଙ୍କୁ ଛାଡିଲେ, ଦିଲ୍ଲୀ କ୍ୟାପିଟାଲ୍ସ ଦଳର କ୍ୟାପଟେନ୍ ହେବାକୁ ପୃଥ୍ୱୀ ସ ମଧ୍ୟ ଲାଇନରେ ଅଛନ୍ତି । ୨୩ ବର୍ଷୀୟ ଏହି ଯୁବ ଖେଳାଳିଙ୍କ ପାଖରେ କ୍ୟାପଟେନ୍ ହେବାର ଅଭିଜ୍ଞତା ଥିବାବେଳେ, ତାଙ୍କ କ୍ୟାପଟେନ୍ସିରେ ଭାରତୀୟ ଅଣ୍ଡର-୧୯ ଦଳ ବିଶ୍ୱକପ୍ ମଧ୍ୟ ଜିତିସାରିଛି । ୨୦୧୮ ମସିହାରେ ପୃଥ୍ୱୀ ସ ଭାରତକୁ ଅଣ୍ଡର-୧୯ ବିଶ୍ୱକପରେ ବିଜୟୀ କରିଥିଲେ । ତେବେ ଖାଲି ସେତିକି ନୁହେଁ, ଘରୋଇ କ୍ରିକେଟରେ ମଧ୍ୟ ସେ ମୁମ୍ବାଇ ଦଳର କ୍ୟାପଟେନ୍ ରହିଛନ୍ତି । ତେଣୁ ରିଷଭଙ୍କ ଜାଗାରେ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାନେଜମେଣ୍ଟ ପୃଥ୍ୱୀ ସଙ୍କୁ ମଧ୍ୟ ଦଳର କ୍ୟାପଟେନ୍ କରିପାରେ ବୋଲି ଅନୁମାନ କରାଯାଉଛି ।

ୱାର୍ଣ୍ଣର, ପୃଥ୍ୱୀ ସ, ଏବଂ ରିଷଭ ପନ୍ତଙ୍କ ପରେ, ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶ । ଭାରତୀୟ ବ୍ୟାଟ୍ସମ୍ୟାନ୍ ମନୀଷ ପାଣ୍ଡେ ମଧ୍ୟ ରହିଛନ୍ତି, ଯେଉଁମାନେ କି ଦଳର କ୍ୟାପଟେନ୍ ହୋଇପାରନ୍ତି । ମନୀଷ ପାଣ୍ଡେଙ୍କ ପାଖରେ ଲମ୍ବା ସମୟ ଧରି ଘରୋଇ କ୍ରିକେଟ ଖେଳିିବାର ଅଭିଜ୍ଞତା ଥିବାବେଳେ, ମିଚେଲ ମାର୍ଶଙ୍କ ପାଖରେ ଅନ୍ତର୍ଜାତୀୟ ମ୍ୟାଚର ଅଭିଜ୍ଞତା ରହିଛି । ତେଣୁ ଏହି ଦୁଇ ଖେଳାଳି ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଅଧିନାୟକ ନିଯୁକ୍ତ ହୋଇପାରନ୍ତି ବୋଲି କୁହାଯାଉଛି ।

ରିଷଭ ପନ୍ତଙ୍କ ଦୁର୍ଘଟଣା କାରଣରୁ ଦିଲ୍ଲୀ କ୍ୟାପିଟାଲ୍ସ, ଏବେ ନୂଆ କ୍ୟାପଟେନ୍ ସନ୍ଧାନରେ ଅଛି । ତେଣୁ ଦିଲ୍ଲୀ ଟିମର ମ୍ୟାନେଜମେଂଟ ଆଉ କୋଚ୍ । କେଉଁ ଖେଳାଳିକୁ ଦଳର କମାଣ ଦେଉଛନ୍ତି? କିଏ ଦିଲ୍ଲୀର ନୂଆ କ୍ୟାପଟେନ୍ ହେଉଛି? ତାହା ଉପରେ ନଜର ରହିବ ।