ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଂଶସକଙ୍କ ପାଇଁ ଖୁସି ଖବର । ଋଷଭ ପନ୍ତଙ୍କୁ ମିଳିଲା ଗ୍ରୀନ୍ ସିଗନାଲ, ଖୁବଶୀଘ୍ର ମୈଦାନରେ ଗର୍ଜିବ ପନ୍ତଙ୍କ ବ୍ୟାଟ୍ ।

115

କନକ ବ୍ୟୁରୋ : ଆଇପିଏଲକୁ ଆଉ ମାତ୍ର ୧୦ ଦିନ ବାକି ଥିବା ବେଳେ ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଂଶସକଙ୍କ ପାଇଁ ଆସିଛି ଖୁସି ଖବର । ଆଇପିଏଲର ଚଳିତ ସିଜିନରେ ପୁଣିଥରେ ବିଧ୍ୱଂସୀ ବ୍ୟାଟର ଋଷଭ ପନ୍ତଙ୍କୁ ମୈଦାନରେ ଦେଖିବାକୁ ମିଳିବ । ଏନେଇ ଏନସିଏ ପକ୍ଷରୁ ଋଷଭଙ୍କୁ ଫିଟନେସ ସାର୍ଟିଫିକେଟ ମିଳିଛି ।

ଏହାପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା ଯେ, ଋଷଭ ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ସ୍କ୍ୱାର୍ଡରେ ସ୍ଥାନ ଦେଇନାହିଁ । ଏନସିଏ ପକ୍ଷରୁ ଫିଟନେସ ସାର୍ଟିଫିକେଟ ମିଳିନଥିବାରୁ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଆଇପିଏଲର ଦିନ କେଇଟା ପୂର୍ବରୁ ଋଷଭ ପନ୍ତଙ୍କୁ ଫିଟନେସ ସାର୍ଟିଫିକେଟ ମିଳିଥିବା ନେଇ ସୂଚନା ମିଳିଛି । ତେଣୁ ୨୦୨୪ ଆଇପିଏଲ ସିଜିନରେ ଋଷଭଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବେ ଦେଖିବାକୁ ମିଳିପାରେ ।

ଏବେ ଋଷଭ ପନ୍ତ ଆଇପିଏଲର କିଛି ବିଜ୍ଞାପନ ସୁଟିଂରେ ବ୍ୟସ୍ତ ଅଛନ୍ତି । ତେଣୁ ତାଙ୍କୁ ପୁଣିଥରେ ମୈଦାନରେ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ୨୦୨୪ ଆଇପିଏଲରେ ବିଶାଖାପାଟଣାରେ ଦିଲ୍ଲୀ ନିଜର ପ୍ରଥମ ମ୍ୟାଚ୍ ଖେଳିବ । ତେଣୁ ଋଷଭ ପନ୍ତ ଖୁବଶୀଘ୍ର ବିଶାଖାପାଟଣା ଅଭିମୁଖେ ଯାତ୍ରା କରିପାରନ୍ତି । ମାର୍ଚ୍ଚ ୨୩ରେ ଦିଲ୍ଲୀ ନିଜର ପ୍ରଥମ ମୁକାବିଲା ପଞ୍ଜାବ ବିପକ୍ଷରେ ଖେଳିବ ।