କନକ ବ୍ୟୁରୋ : ସେଞ୍ଚୁରିଆନରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକାର ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ୱିକେଟ କିପର ରିଷଭ ପନ୍ତ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ପୂର୍ବତନ ଭାରତୀୟ ୱିକେଟକିପର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିବା ସହ ନିଜ ନାଁ ଯୋଡିଛନ୍ତି ପନ୍ତ । ପ୍ରଥମ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ତେମ୍ବା ବବୁମାଙ୍କ କ୍ୟାଚ୍ ଧରିବା ସହ ୱିକେଟକିପର ଭାବେ ସବୁଠୁ ଦ୍ରୁତ ୧୦୦ଟି ୱିକେଟ ଶିକାର କରିବାର ରେକର୍ଡ ନିଜ ନାଁରେ କରିଛନ୍ତି ପନ୍ତ । ଏହାପୂର୍ବରୁ ଏହି ରେକର୍ଡ ଧୋନୀଙ୍କ ନାଁରେ ରହିଥିଲା ।

Advertisment

ରିଷଭ ପନ୍ତ ୨୬ଟି ଟେଷ୍ଟ ମ୍ୟାଚରୁ ଏହି ସଫଳତା ହାସଲ କରିଛନ୍ତି । ଧୋନୀଙ୍କୁ ଏହି ସଫଳତା ୩୬ଟି ଟେଷ୍ଟ ମ୍ୟାଚରେ ମିଳିଥିଲା । ଆଉ ଏହାସହ ସବୁଠୁ ଦ୍ରୁତ ୧୦୦ ୱିକେଟ ଶିକାର କରିବାର ଭାରତୀୟ ଖେଳାଳୀ ଭାବେ ଉଭା ହୋଇଛନ୍ତି ପନ୍ତ । ଏବେସୁଦ୍ଧା ପନ୍ତ ୱିକେଟ ପଛରେ ୯୩ଟି କ୍ୟାଚ୍ ଓ ୮ଟି ଷ୍ଟମ୍ପିଂ କରିଛନ୍ତି । ଅନ୍ୟପଟେ ମହେନ୍ଦ୍ର ସିଂ ଧୋନୀ ନିଜ ଟେଷ୍ଟ କ୍ୟାରିୟରରେ ୯୦ଟି ମ୍ୟାଚରୁ ୨୯୪ ୱିକେଟ ଶିକାର କରିଛନ୍ତି । ଯେଉଁଥିରେ ୨୫୬ଟି କ୍ୟାଚ୍ ଓ ୩୮ଟି ଷ୍ଟମ୍ପିଂ ରହିଛି ।

ଏବେ ସୁଦ୍ଧା ୬ ଜଣ ଭାରତୀୟ ୱିକେଟ କିପର ୱିକେଟ ପଛରେ ୧୦୦ରୁ ଅଧିକ ଶିକାର କରିବାରେ ସଫଳ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି ଧୋନୀ । ତେବେ ବିଶ୍ୱ କ୍ରିକେଟରେ ୱିକେଟ ପଛରେ ସବୁଠୁ ଦ୍ରୁତ ୧୦୦ ୱିକେଟ ହାସଲ କରିବାର ରେକର୍ଡ ଉଭୟ ଆଡାମ ଗିଲଖ୍ରୀଷ୍ଟ ଓ କ୍ୱିଣ୍ଟନ ଡି କକଙ୍କ ନାଁରେ ରହିଛି । ଉଭୟ ୨୨ଟି ମ୍ୟାଚରୁ ଏହି ରେକର୍ଡ ହାସଲ କରିଛନ୍ତି । ତେବେ ଡି କକ୍ ୩୯ଟି ଇନିଂସରୁ ଏହି ସଫଳତା ପାଇଥିବା ବେଳେ ଗିଲଖ୍ରୀଷ୍ଟ ୪୩ଟି ଇନିଂସରୁ ଏହି ସଫଳତା ପାଇଥିଲେ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ରିଷଭ ପନ୍ତ ପ୍ରଥମ ଇନିଂସରେ ସେଭଳି ଖାସ୍ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି । ମାତ୍ର ୮ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ରିଷଭ । ତେବେ ୱିକେଟ ପଛରେ ରିଷଭଙ୍କ ଯୋଗଦାନ ଭାରତକୁ ପ୍ରଥମ ଇନିଂସରେ ଆଗୁଆ ରହିବାରେ ସହାୟକ ହୋଇଛି ।